fbpx

ପାଣିପାଗ ବିଭାଗର ସୂଚନା: ଆହୁରି ୨୪ ଘଣ୍ଟା ଗ୍ରୀଷ୍ମପ୍ରବାହ

Advertisement

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଏପରି ତାତି ଆହୁରି ୨୪ ଘଣ୍ଟା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏହା ଆଗକୁ ବଢିପାରୁ ନଥିଲା । ଏବେ ମାଲକାନଗିରି ଓ କୋରାପୁଟରେ ମୌସୁମୀ ସକ୍ରିୟ ରହିଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ବୋଲି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୧୭ ତାରିଖ ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ ବୋଲି ଆକଳନ କରାଯାଇଛି । ତେବେ ଆହୁରି ୪ ଦିନ ଯାଏ କିଛି ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡ଼ିଶାରେ ଉଷ୍ମ ଆର୍ଦ୍ର ଜଳବାୟୁ ରହିଥିବାରୁ ଗୁଳୁଗୁଳିର ପ୍ରଭାବ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆସନ୍ତା ରବିବାର ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ମଧ୍ୟ ସମ୍ଭାବନା ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି । ତେଣୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୮ ତାରିଖରେ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ୧୬ ଜିଲ୍ଲାକୁ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଏହାପରେ ଧୀରେ ଧୀରେ
ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆକଳନକରାଯାଇଛି ।

Get real time updates directly on you device, subscribe now.