fbpx

ଦ୍ୱିତୀୟ ଟେଷ୍ଟରେ କୋହଲି ଭଲ ରନ୍‌ କରିବେ ବୋଲି ଆଶା: ମୁଖ୍ୟକୋଚ୍ ଦ୍ରାବିଡ

ଜୋହାନ୍ସବର୍ଗ: ଭାରତୀୟ କ୍ରିକେଟ ଦଳ ମୁଖ୍ୟକୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଅଧିନାୟକ ବିରାଟ କୋହଲି ରନ ସଂଗ୍ରହ କରିବା ପାଇଁ ଅତି ଭୋକିଲା ହୋଇ ରହିଛନ୍ତି । ମାତ୍ର ଭାଗ୍ୟ ତାଙ୍କୁ ସାହାରା ଦେଉନି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ସଫଳ ହୋଇ ପାରିଲେ ନାହିଁ । ଦ୍ୱିତୀୟ ଇନିଂସରେ କେବଳ ୧୮ ରନ କରି ଆଉଟ ହୋଇଗଲେ । ପ୍ରଥମ ଇନିଂସରେ ମଧ୍ୟ ଭଲ ସ୍କୋର କରି ପାରି ନ ଥିଲେ । ସେହିପରି ୨୦୧୮ରେ କୋଲକାତାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ସେ ଶେଷଥର ପାଇଁ ଶତକ ଅର୍ଜନ କରି ଥିବା ବେଳେ ଗତ ଦୁଇ ବର୍ଷ ଏପରି ସୁଯୋଗ ସୃଷ୍ଟି କରି ପାରି ନାହାନ୍ତି । ଚଳିତ ସିରିଜରେ ଏହି ଆଶା ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ହେଁ ପୂରଣ ହୋଇ ପାରିଲା ନାହିଁ । ତେବେ ରବିବାର ଦିନ ସାମ୍ବାଦିକ ସମ୍ମିଳନୀକୁ ସେ ଆସିଲେ ନାହିଁ । ଅବଶ୍ୟ କାରଣ ମୋତେ ଜଣା । ମାତ୍ର ଜୀବନର ୧୦୦ତମ ଟେଷ୍ଟ ଖେଳିବା ପୂର୍ବରୁ ସେ ନିଶ୍ଚିତ ମିଡିଆ ସାମନାକୁ ଆସିବେ ବୋଲି ମୋର ଅନୁମାନ । ବର୍ତ୍ତମାନ ସେ ୯୮ ଟେଷ୍ଟ ଖେଳି ସାରିଲେଣି ।

ଚଳିତ ସିରିଜରେ ୧୦୦ତମ ଟେଷ୍ଟ ଖେଳିବେ । ତେବେ ଟି-୨୦ ଓ ଦିନିକିଆ ଅଧିନାୟକ ପଦରୁ ଦୂରେଇ ଯିବାପରେ ମାନସିକ ସ୍ତରରେ ସେ ଅସ୍ଥିର ଥିବା ପରି ଅନୁମାନ କରାଯାଏ । ତେବେ ଏହି ପ୍ରସଙ୍ଗ ନେଇ ଗତ ୨୦ ଦିନ ଧରି ତାଙ୍କ ଚାରିପଟେ ଅନେକ କଥା ଘୂରି ବୁଲୁଥିବା ବେଳେ ସେ ନୀରବ ଅଛନ୍ତି । ଏଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ସମ୍ପର୍କରେ ଦ୍ରାବିଡ କହିଛନ୍ତି ଯେ ସ୍ଥାନୀୟ ୱଣ୍ଡର୍ସ ପିଚ୍‌ରେ ପେସ୍‌ ବୋଲରଙ୍କୁ ନିଶ୍ଚିତ ଫାଇଦା ମିଳିବ । ତେବେ ସେଞ୍ଚୁରିୟନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପରି ଏଠାରେ ବିଶେଷ ମାତ୍ରାରେ ବଲ ବାଉଁନ୍ସ କରିବ ନାହିଁ । ମାତ୍ର ମ୍ୟାଚର ଦ୍ୱିତୀୟ ଭାଗରେ ବ୍ୟାଟିଂ କରିବା କଷ୍ଟକର ହେବା ସମ୍ଭାବନା ରହିଛି ବୋଲି କୋଚ ଦ୍ରାବିଡ କହିଛନ୍ତି ।

Get real time updates directly on you device, subscribe now.