fbpx

୩ MD ଓ ୫ DEO ସସପେଣ୍ଡ: ୨୮୮ ଚାଷୀ ରବି ଧାନ ମଣ୍ଡି ପଞ୍ଜିକରଣରୁ ବଞ୍ଚିତ, ନିଆଗଲା କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ ଜାରି ରଖିଛନ୍ତି । କୃଷକଙ୍କୁ ଅତ୍ୟାଧୁନିକ ବିହନ, କୃଷି ଯନ୍ତ୍ରପାତି ପ୍ରଦାନ କରିବା ସହିତ କମ୍ ସୁଧରେ ଋଣ ମଧ୍ୟ ପ୍ରଦାନ କରାଯାଉଛି । ଗତବର୍ଷ ରାଜ୍ୟ ସରକାର ୨୦୬୩ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ କମ୍ପ୍ୟୁଟରୀକରଣ କରାଇବା ସହ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ଦେଇଥିଲେ । ଫଳରେ ପ୍ୟାକ୍ସକୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇ ପାରିଥିଲା ।

ପ୍ୟାକ୍ସ ଓ ବୃହତ ଆଦିବାସୀ ବହୁମୁଖୀ ସମିତି (ଲ୍ୟାମ୍ପସ)ର ଡିଜିଟାଲାଇଜେସନ କରାଇବା ପାଇଁ ଗତବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ନୂଆ ସମବାୟ ନୀତି ଆଣିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହା ମଧ୍ୟରେ କାର୍ଯ୍ୟରେ ଅବହେଳା କାରଣରୁ ୩ ଜଣ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ (ଏମଡି) ଓ ୫ ଜଣ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି । ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରବି ଧାନ ମଣ୍ଡିରେ ନାମ ପଞ୍ଜିକରଣ ଓ ନବୀକରଣ କରାଇବାରେ ୨୮୮ ଜଣ ଚାଷୀ ବଞ୍ଚିତ ହୋଇଥିଲେ ।

ସସପେଣ୍ଡ ହୋଇଥିବା ୩ ଜଣ ଏମଡି ଜୟପୁର ବ୍ଲକ ଉମୁରୀ, କୁନ୍ଦୁରା ଓ ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଲ୍ୟାମ୍ପସର । ସେହିପରି ୫ ଜଣ ଡିଇଓ ଉପରୋକ୍ତ ୩ ଲ୍ୟାମ୍ପସ ସହ କୋଟପାଡ଼ ବ୍ଲକ ଘୁମରର ମା’ ଠାକୁରାଣୀ ଏସଏଚଜି ଓ ଗିର୍ଲାର ଲିଙ୍ଗରାଜ ପାଣି ପଞ୍ଚାୟତର ବୋଲି ଜଣାପଡ଼ିଛି । ଉମୁରୀ ଲ୍ୟାମ୍ପସର ୨୩୪ ଜଣ ଚାଷୀ, କୁନ୍ଦୁରା ଲ୍ୟାମ୍ପସର ୩୪ ଜଣ, କାକିରିଗୁମ୍ମା ଲ୍ୟାମ୍ପସର ୨ ଜଣ, ଘୁମରର ମା’ ଠାକୁରାଣୀ ଏସଏଚଜିର ୪ ଜଣ, ଗିର୍ଲା ଲିଙ୍ଗରାଜ ପାଣି ପଞ୍ଚାୟତର ୧୪ ଜଣ ଚାଷୀ ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ କରିପାରିନଥିଲେ ।

ତେବେ ଏହି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ୮ ଜଣ ଅଧିକରୀଙ୍କୁ ଦାୟୀ କରାଯାଇଛି । ରବି ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ପାଇଁ ଆବେଦନ ସମୟ ସୀମା ମାର୍ଚ୍ଚ ୧ରୁ ୨୦ ପର୍ଯ୍ୟନ୍ତ ରହିଥିଲା । ପରେ ଏହା ୨୭ ତାରିଖକୁ ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅଧିକାରୀମାନେ ଚାଷୀଙ୍କ ନାମ ନବୀକରଣ ନେଇ ବିଫଳ ହୋଇଥିବାରୁ ସେମାନଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.