fbpx

୩୦ଟି ଜିଲ୍ଲା ପାଇଁ ୩୦ ବରିଷ୍ଠ IASଙ୍କୁ ମିଳିଲା ଦାୟିତ୍ୱ: ଜିଲ୍ଲା ଗସ୍ତ କରିବେ ସରକାରୀ ଅଧିକାରୀ, ଉନ୍ନୟନ କମିଶନରଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରତି ମାସରେ ସଚିବ ଓ ବରିଷ୍ଠ ଅଧିକାରୀମାନେ ରାଜଧାନୀ ଭୁବନେଶ୍ୱର ଛାଡ଼ି ଗାଁକୁ ଗସ୍ତ କରିବେ । ଅଧିକାରୀମାନେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସରକାରୀ ଯୋଜନାର କାର୍ଯ୍ୟକାରିତା ପରଖିବେ । ଏଥିସହିତ ଦୁର୍ଗମ ଅଞ୍ଚଳରେ ରାତିରେ ରହି ଉକ୍ତ ଅଞ୍ଚଳର ବାସ୍ତବ ସ୍ଥିତିନୁ ଅନୁଭବ କରିବେ । ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବ, ସ୍ୱତନ୍ତ୍ର ସଚିବମାନଙ୍କୁ ଉନ୍ନୟନ କମିଶନର ଚିଠି ଲେଖିଛନ୍ତି ।

ମୋଟ ୩୦ଟି ଜିଲ୍ଲା ପାଇଁ ୩୦ ଜଣ ବରିଷ୍ଠ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନେ ପ୍ରତି ମାସର ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତ କରିବେ । ତେଣୁ ସ୍ଥିରୀକୃତ ସପ୍ତାହରେ କୌଣସି ସରକାରୀ ସମୀକ୍ଷା ବୈଠକ ନ ରଖିବାକୁ କୁହାଯାଇଛି । ଚଳିତ ମାସର ତୃତୀୟ ସପ୍ତାହରୁ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପ୍ରତି ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଥାଉ ବା ନଥାଉ, ସମସ୍ତେ ମାସର ତୃତୀୟ ସପ୍ତାହରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବେ ବୋଲି କୁହାଯାଇଛି । ଏହି ଅବସରରେ ସମୋନେ ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ, ନିବେଶ ଓ ଭିତ୍ତିଭୂମି କ୍ଷେତ୍ରର ପଦକ୍ଷେପ ଉପରେ ସମୀକ୍ଷା କରିବେ । ଏଥିସହିତ ମହିଳା, ଯୁବଗୋଷ୍ଠୀ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ, ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳତା ଉପରେ ସେମାନେ ନଜର ପକାଇବେ । ପ୍ରଶାସନ କିପରି ଲୋକଙ୍କ ନିକଟତର ହୋଇପାରିବ ସେନେଇ ଲୋକଙ୍କ ଠାରୁ ସିଧାସଳଖ ମତାମତ ସଂଗ୍ରହ କରିବେ ।

Get real time updates directly on you device, subscribe now.