fbpx

ଅଗଷ୍ଟ ୧୫ ପୂର୍ବରୁ ହତିଆର ସହିତ ୪ ଆତଙ୍କୀ ଗିରଫ: ISI ସହିତ ରହିଛି କନେକ୍ସନ

ନୂଆଦିଲ୍ଲୀ: ଏକ ମିଳିତ ଅପରେସନରେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ମିଳିତ କମ୍ବିଂରେ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି । ତେବେ ଏମାନେ ସ୍ୱାଧୀନତା ଦିବସ ପୂର୍ବରୁ ଏକ ବିଶାଳ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି ପୋଲିସ । ପାକିସ୍ତାନର ଆତଙ୍କୀ ସଂସ୍ଥା ଆଇଏସଆଇଏସ ସହିତ ଏହି ଆତଙ୍କବାଦୀମାନଙ୍କର ସମ୍ପର୍କ ଥିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ଏହି ଆତଙ୍କବାଦୀମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଏହା ମଧ୍ୟରେ ୯ଏମଏମ ପିସ୍ତଲ, ୩ଟି ହ୍ୟାଣ୍ଡ ଗ୍ରେନେଡ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏଥିସହ ସେମାନଙ୍କୁ ଗିରଫ କରି ପଚରାଉଚରା କରାଯାଉଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଛି । ପାକିସ୍ତାନର ଏଜେନ୍ସି ଆଇଏସଆଇ ସମେତ କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ଆତଙ୍କୀ ସଂଗଠନର ସଦସ୍ୟମାନଙ୍କ ସହିତ ମଧ୍ୟ ଏମାନଙ୍କର ଲିଙ୍କ ଥିବା କୁହାଯାଇଛି । ପୂର୍ବ କଏଦୀମାନଙ୍କ ସୂଚନା ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ ।

ଏହି ୪ ଆତଙ୍କୀ ପଞ୍ଜାବରେ କିଛି ଏକ ବଡ ଅଘଟଣ ଘଟାଇବାର ଯୋଜନା କରୁଥିବା ନେଇ ସୂଚନା ଦେଇଥିଲେ ପୁରୁଣା କଏଦୀ । ତେବେ ଅଗଷ୍ଟ ୧୫କୁ ନଜରରେ ରଖି ଦେଶର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ସେପଟେ ଗତ ସପ୍ତାହରୁ ରାଜ୍ୟରେ କୌଣସି ଅଘଟଣ ନ ଘଟୁ ସେଥିପାଇଁ ସର୍ଚ୍ଚ ଅପରେସନ ଜାରି କରିଛି ପଞ୍ଜାବ ପୋଲିସ । ତେବେ ପାକିସ୍ତାନ ବର୍ଡରକୁ ଲାଗି ରହିଥିବା ଜିଲ୍ଲା ଗୁରୁଦାସପୁର, ବଟାଲା ଏବଂ ପଠାନକୋଟ ଇତ୍ୟାଦିକୁ ଆଲର୍ଟ ରେ ରଖାଯାଇଛି ।

ସୀମା ଆରପାରିରୁ ଆସୁଥିବା ଡ୍ରୋନ ଗୁଡିକର ଗତିବିଧି ଯୋଗୁଁ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ ଗ୍ରାମଗୁଡିକରେ ପୋଲିସ ଏବଂ ବିଏସଏଫ ଦ୍ୱାରା ସ୍ୱତନ୍ତ୍ର ତଦାରଖ କରାଯାଉଛି । ସେହିପରି ଚଣ୍ଡୀଗଡ ରେଲୱେ ଷ୍ଟେସନକୁ ସମ୍ବଦନଶୀଳ ବୋଲି ପୋଲିସ ଅନୁଭବ କରିଛି । ତେଣୁ ଏଠାକାର କୋଣ କୋଣରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.