ରଥଯାତ୍ରା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନବାଚୀ, ଗଳାବାଟ ଦେଇ ଶ୍ରୀମନ୍ଦିରରେ ପଶିଲେ ୪ ଯୁବକ

ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଗଲେ 4 ଯୁବକ ।

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ । ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଯୁବକ । ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ମନ୍ଦିର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୁରକ୍ଷାରେ ତ୍ରୁଟି- ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଯାଉଥିବା ନେଇ ଦେଖାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷାା ପାଇଁ ମାଳ ମାଳ ସୁରକ୍ଷାକର୍ମୀ ରହିଥିବା ବେଳେ ଏହା କିପରି ସମ୍ଭବ ହେଲା ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ନିଳାଦ୍ରୀବିଜେରେ ତ୍ରୁଟି- ତେବେ ଏହି ଭିଡିଓ ନିଳାଦ୍ରୀବିଜେ ଦିନର ବୋଲି କୁହାଯାଉଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଠାରେ ଗଦା ହୋଇଥିବା ଅଳିଆ ଗଦା ଉପରେ ଚଢି ମେଘନାଦ ପାଚେରୀ ଉପରେ ଚଢି 4 ଜଣ ଯୁବକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ତେବେ ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀ ଏହା ଦେଖି ଚୁପ ରହିଲେ ନା ଦେଖିନାହାନ୍ତି ସେନେଇ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିବା ଗୁଇନ୍ଦା ବିଭାଗ ତରଫରୁ ସତର୍କ କରାଯାଇଥିବା ବେଳେ ଏପଟେ ଏହି ଦୃଶ୍ୟ ଅନେକ କିଛି କହୁଥିବା ଭଳି ମନେ ହେଉଛି ।

ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ପୁରୀ ଏସ୍‌ପିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମେଘନାଦ ପାଚେରି କଡ଼ରେ କିଏ ମାଟି ପକାଇଥିଲା ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିନାକ ମିଶ୍ର କହିଛନ୍ତି ।