ଦେଶରେ ନିମ୍ନମୁଖୀ କରୋନା ଗ୍ରାଫ୍, ଆଜି ୪୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ତେବେ କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୯୬୭କୁ ବୃଦ୍ଧି ପାଇଛି । ଦିନକରେ ୩୯ ହଜାର ୩୬୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୧୧ ହଜାର ୨୬୨କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୧୮୯ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୫ ଲକ୍ଷ ୭୯ ହଜାର ୧୦୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୪୩ କୋଟି ୫୧ ଲକ୍ଷ ୯୬ ହଜାର ୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।