fbpx

ମେକ୍ ଇନ୍ ଇଣ୍ଡିଆର କମାଲ ଦେଖ: ଭାରତରେ ପ୍ରତିବର୍ଷ ୫ କୋଟି iPhone ପ୍ରସ୍ତୁତ ହେବ, ନିଯୁକ୍ତି ପାଇବେ ୫୦ ହଜାର ଲୋକ

ନୂଆଦିଲ୍ଲୀ: ଆମେରିକାର ଟେକ୍ନୋଲୋଜି କମ୍ପାନୀ ଆପଲ ଆଗାମୀ ୨-୩ ବର୍ଷ ମଧ୍ୟରେ ଭାରତରେ ୫ କୋଟି ଆଇଫୋନ୍ ନିର୍ମାଣ କରିବ । ଏହି ନିର୍ମାଣ କ୍ଷେତ୍ରରେ ଟାଟା ଗ୍ରୁପ ସହାୟତା ପ୍ରଦାନ କରାଯିବ । ସବୁଠାରୁ ବଡ଼ କଥା ହେଉଛି ଏହା ମାଧ୍ୟମରେ ଭାରତରେ ଦୁଇ ବର୍ଷ ମଧ୍ୟରେ ୫୦ ହଜାର ଲୋକଙ୍କୁ ରୋଜଗାର ମିଳିବ । ଏହା ନିଶ୍ଚିତ ଭାବେ ସାରା ଦେଶବାସୀଙ୍କ ପାଇଁ ଏକ ଖୁସିର ବିଷୟ ।

ସୂଚନା ମୁତାବକ, ଆଗାମୀ ଦୁଇ-ତିନି ବର୍ଷ ମଧ୍ୟରେ ୫ କୋଟି ଆଇଫୋନ୍ ନିର୍ମାଣ କରିବାକୁ ଆପଲ ଯୋଜନା ପ୍ରସ୍ତୁତ କରିଛି । କମ୍ପାନୀର ମୋଟ ବାର୍ଷିକ ନିର୍ମାଣର ଏହା ୨୫ ପ୍ରତିଶତ ବୋଲି ଜଣାପଡ଼ିଛି । ଅର୍ଥାତ ବିଶ୍ୱରେ ବ୍ୟବହାର କରାଯାଉଥିବା ଏକଚତୁର୍ଥାଂଶ ଆଇଫୋନ୍ ଭାରତରେ ହିଁ ନିର୍ମିତ ହେବ । ଆମେରିକାର ଏକ ନ୍ୟୁଜ ଏଜେନ୍ସି ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶିତ ହୋଇଛି । ବର୍ତ୍ତମାନ ସମୟରେ ଆପଲ ବାର୍ଷିକ ୨୦ କୋଟି ଆଇଫୋନ୍ ନିର୍ମାଣ କରୁଥିବା ବେଳେ ଅଧିକାଂଶ ଚୀନରେ ପ୍ରସ୍ତୁତ କରାଯାଉଛି ।

ତେବେ ଆପଲ କ୍ରମାଗତ ଭାବେ ଭାରତରେ ନିଜର ନିର୍ମାଣ କ୍ଷମତାକୁ ବୃଦ୍ଧି କରିବା ନେଇ ଗୁରୁତ୍ୱ ଦେଇ ଆସିଛି । ବର୍ତ୍ତମାନ ସମୟରେ ଭାରତରେ କମ୍ପାନୀର ନିର୍ମାଣ ମାତ୍ର ୫ ପ୍ରତିଶତ ରହିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ପାଇବ । ଗତ ଆର୍ଥିକ ବର୍ଷରେ କମ୍ପାନୀ ଭାରତରେ ୭ ଅରବ ଡଲାରରୁ ଅଧିକ ଆଇଫୋନ ଆସେମ୍ବଲି କରିଥିଲା । ତାଇୱାନ କମ୍ପାନୀ ଫକ୍ସକନ ଓ ପେଗାଟ୍ରନ ଭାରତରେ ଆଇଫୋନ୍ ପ୍ରସ୍ତୁତ କରୁଛନ୍ତି । ଏହି କମ୍ପାନୀଗୁଡ଼ିକ ବେଙ୍ଗାଲୁରୁ ଓ ଚେନ୍ନାଇରେ ନୂଆ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଏହି ନିର୍ମାଣ ପାଇଁ ଟାଟା ଗ୍ରୁପ ମଧ୍ୟ ଆଗକୁ ଆସିଛି । ନିକଟରେ ଟାଟା କମ୍ପାନୀ ଅନ୍ୟ ଏକ ତାଇୱାନ କମ୍ପାନୀ ବିସଟ୍ରନର ବେଙ୍ଗାଲୁରୁ ସ୍ଥିତ ଆଇଫୋନ ପ୍ଲାଣ୍ଟକୁ ଅଧିଗ୍ରହଣ କରିଥିଲା । ଟାଟା ତାମିଲନାଡ଼ୁର ହୋସୁରରେ ଏକ ବଡ଼ ଆଇଫୋନ ଆସେମ୍ବଲି ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି । ଏହାମାଧ୍ୟମରେ ଦୁଇବର୍ଷରେ ୫୦ ହଜାର ଲୋକଙ୍କୁ ରୋଜଗାର ସୁବିଧା ମିଳିବ ।

Get real time updates directly on you device, subscribe now.