fbpx

ଓଡ଼ିଶାରେ ୫ ଲକ୍ଷ ନୂଆ ଉଜ୍ଜଳା ସଂଯୋଗ: ବିଜେଡ଼ି କହିଲା- ‘ଆହୁରି କମିବାର ଥିଲା’

ଭୁବନେଶ୍ୱର: ଭାରତରେ ୭୫ ଲକ୍ଷ ନୂଆ ଉଜ୍ଜଳା ସଂଯୋଗ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏଥିମଧ୍ୟରେ ୫ ଲକ୍ଷ ନୂଆ ସଂଯୋଗ ଓଡ଼ିଶାରେ ଲାଗିବ । ବର୍ଷକୁ ୧୨ଟି ସିଲିଣ୍ଡର କମ୍ ଦରରେ ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ, ୨୦୧୪ରେ ଓଡ଼ିଶାରେ ୧ କୋଟି ଘରରୁ ମାତ୍ର ୨୨ ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଲାଗୁ ହେବା ପରେ ୫୩ ଲକ୍ଷ ହିତାଧିକାରୀ ବଢିଥିଲେ । ଆଜି ରାଜ୍ୟର ପାଖାପାଖି ୯୬ ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଛି । ଆଗାମୀ ଦିନରେ ଆଉ ୫ ଲକ୍ଷ ଘରେ ଏଲପିଜି ସଂଯୋଗ ହେବ । ଓଡ଼ିଶାର ମାଆମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ମୋଦି ସରକାର ବଡ ଉପହାର ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଠାରେ ଦେଶରେ ୨ କୋଟି ଲକ୍ଷପତି ଦିଦି ତିଆରି କରାଯିବ ବୋଲି ଘୋଷଣା କରିଥିଲେ । ୨୦୧୪ରେ ଓଡ଼ିଶାର ପାଖାପାଖି ୧୪ ଲକ୍ଷ ଭଉଣୀମାନଙ୍କୁ କମ୍ ସୁଧରେ ୩୮୬.୩୭ କୋଟିର ଋଣ ମିଳିଥିଲା । ଯାହାର ବଡ ସୁଧ ଭାର ଭାରତ ସରକାର ନେଇଥିଲେ । ଆଜି ସେହି ସଂଖ୍ୟା ୧୪ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି ପାଇଛି । ଏବେ ଓଡ଼ିଶାର ମହିଳାମାନଙ୍କୁ କମ୍ ସୁଧହାରରେ ୨୫ ହଜାର କୋଟି ଋଣ ଦେଉଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ଗ୍ୟାସ ଦର ହ୍ରାସକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଲିପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା କମାଇଛନ୍ତି କେନ୍ଦ୍ର ସରକାର, ଆହୁରି କମିବାର ଥିଲା । ଆଶା କରୁଛି ସରକାର ଆହୁରି ଗ୍ୟାସ ଦର କମାଇବେ । ଗ୍ୟାସ ଦର ସୀମା ବାହାରେ ଥିଲା, ଯାହାକି ସାଧାରଣ ଲୋକଙ୍କୁ ବହୁତ ବାଧୁଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ୍ ନିୟନ୍ତ୍ରଣ ନିହାତି ଆବଶ୍ୟକ ।’

 

Get real time updates directly on you device, subscribe now.