ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଅବିଶ୍ୱସନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଆମ ଆଖପାଖରେ ଘଟିଥାଏ । ଏଭଳି ଘଟଣାକୁ ସ୍ୱଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ ଲାଗି ନଥାଏ । ତେବେ ଏହା ମଧ୍ୟରେ କୋରାପୁଟ ଜିଲ୍ଲା ଜୟପୁରୁ ଜିଲ୍ଲାରୁ ଆସିଛି ଏପରି ଏକ ଘଟଣା ଯାହାକୁ କି ପ୍ରକୃତିର ବିସ୍ମୟ ବୋଲି କୁହାଯାଉଛି । ପଥର ଦେହରୁ ବାହାରୁଛି ସଙ୍ଗୀତର ସାତଟି ସ୍ୱର ମଧ୍ୟରୁ ୫ଟି ସ୍ୱର । ଏହି ପଥରକୁ ଟିପିଲେ ଘଣ୍ଟ ଭଳି ଶବ୍ଦ ଶୁଣିବାକୁ ମିଳୁଛି । ଦେଶିଆ ଭାଷାରେ ଏହି ପଥରକୁ ‘ବାଜନି ପଥର’ କୁହାଯାଉଛି । ଜୟପୁର ବ୍ଲକ ଗଡ଼ପଦର ପଞ୍ଚାୟତର କଳାଗୁଡ଼ା ଗ୍ରାମ ‘ପିଲ ବାଉଁଶୀ ଡଙ୍ଗର’ ନାମ ପାହାଡ଼ରେ ରହିଛି ଏଭଳି ଏକ ବିସ୍ମୟକର ପଥର ।
କାହିଁ କେଁ ଅନାଦି କାଳରୁ ଡଙ୍ଗର ପାହାଡ଼ରେ ଏଭଳି ପଥର ରହିଥିବା ବେଳେ ରାଜରାଜୁଡ଼ା ସମୟରେ ଏହି ପଥରର ସନ୍ଧାନ ମିଳିଥିଲା । ୨ ହଜାର ଫୁଟ ଉପରେ ରହିଥିବା ଏହି ବାଜନି ପଥର ଦେହରେ କୌଣସି ସାମଗ୍ରୀ ବାଜିଲେ ତା’ର ଶବ୍ଦ ଜୟପୁର ପର୍ଯ୍ୟନ୍ତ ଶୁଣାଯାଇଥାଏ ବୋଲି କୁହାଯାଏ । ଏପରିକି ଏହି ବିସ୍ମୟ ପଥରକୁ ଜୟପୁର ଆଣିବାକୁ ଲୋକମାନେ ଚେଷ୍ଟା କରିଥିଲେ ହେଁ ସେଥିରେ ସେମାନେ ସଫଳ ହୋଇନଥିଲେ । ପ୍ରଶାସନିକ ଉଦାସୀନତା କାରଣରୁ ପର୍ଯ୍ୟଟନ ମାନଚିତ୍ରରେ ଏହି ବାଜନି ପଥରକୁ ସ୍ଥାନ ମିଳିନଥିବା କୁହାଯାଇଛି । ୨୦୦୭ରେ ସଙ୍ଗୀତ ବିଶେଷଜ୍ଞ ସେହି ପଥରକୁ ପରୀକ୍ଷା କରିଥିଲେ । ତେବେ ସଙ୍ଗୀତରେ ଥିବା ୭ଟି ସ୍ୱର ମଧ୍ୟରୁ ସେଥିରୁ ୫ଟି ବାହାରୁଥିବା ଜଣାପଡ଼ିଥିଲା । ସ୍ୱର୍ଗତ ଅଶୋକ ମିଶ୍ରଙ୍କ ନେତୃତ୍ୱରେ ସଙ୍ଗୀତ ସଂଯୋଜକ, କି-ବୋର୍ଡ ବାଦକ, ବେହେଲା ବାଦକ, ଗାଇଡ, ଢୋଲକ ବାଦକ ସେଠାକୁ ଯାଇ ବାଜନି ପଥର ପାଖରେ ପହଞ୍ଚିଥିଲେ । ସେମାନେ ଭାରତୀୟ ଓ ଅନ୍ତର୍ଜାତୀୟ ସ୍ୱର ପଦ୍ଧତିକୁ ଆଧାରି କରି ସ୍ୱରଗୁଡ଼ିକୁ ଚିହ୍ନଟ କରିଥିଲେ । ଜି-ସର୍ଫକୁ ସା କରି ସ୍ୱରକୁ ଚିହ୍ନଟ କରାଯାଇଥିଲା ।
ଜୟପୁର ସହରରୁ କଳାଗୁଡ଼ାର ଦୂରତା ୫ କିମି ହୋଇଥିବା ବେଳେ କଳାଗଗୁଡ଼ା ନିକଟ ପାହାଡ଼ ରାସ୍ତା ଦେଇ ପାଖାପାଖି ୨ ହଜାର ଫୁଟ ଚଢ଼ିଲେ ବାଜନି ପଥର ଦେଖିବାକୁ ମିଳିବ । ଭଲ ରାସ୍ତା ନଥିବରୁ ପାହାଡ଼ ଦେହରେ ଲତାବୁଦାକୁ ଆଡ଼େଇ ସେହି ସ୍ଥାନରେ ପହଞ୍ଚିବାକୁ ପଡ଼ିବ । ତେବେ ସେଠାରୁ କିଛି ଦୂର କଲେ ଆଉ କିଛି ଅନୁରୂପ ପଥର ରହିଛି । ପ୍ରଥମ ପଥର ନାରୀ ପଥର ଓ ଦ୍ୱିତୀୟଟି ପୁରୁଷ ପଥର ବୋଲି ସ୍ଥାନୀୟ ଲୋକେ କହିଥାନ୍ତି । ପ୍ରକୃତିର ଏଭଳି ବିସ୍ମୟ ବିଷୟରେ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଥିବା ଲୋକେ କୁହନ୍ତି । ଏହାର ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।