ରାଜ୍ୟରେ ୫ ହଜାର ୧୯୭ଟି ଗାଁ ଓ ପଡାଗ୍ରାମକୁ ନାହିଁ ରାସ୍ତା

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଶାସକ ଦଳ ଏବଂ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣାଧିନ ନ ରହିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଏହାରି ମଧ୍ୟରେ ରାଜ୍ୟରେ ୫ ହଜାର ୧୯୭ଟି ଗାଁ ଓ ପଡାଗ୍ରାମକୁ ରାସ୍ତା ନାହିଁ ବୋଲି ବିଧାନସଭାରେ ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି । ସେ କହିଛନ୍ତି, ଚଳିତବର୍ଷ ଗ୍ରାମପଂଚାୟତ ଓ ପଂଚାୟତ ସମିତିମାନଙ୍କ ଦ୍ୱାରା ସର୍ବେକ୍ଷଣ କରାଯାଇ ସେହିସବୁ ଅଂଚଳକୁ ଚିହ୍ନଟ କରାଯାଇଛି । ସରକାରଙ୍କ ସଡକ ଯୋଜନା ଆଧାରରେ ଏହି ଗ୍ରାମ ଓ ପଡାଗ୍ରାମଗୁଡ଼ିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ।

ତେବେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହୋ-ହଲ୍ଲା କରିଥିଲେ । ତେବେ ବିରୋଧିଙ୍କ ଗଣ୍ଡଗୋଳ ସତ୍ତେ୍ୱ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା । ବିରୋଧିଙ୍କ ବାରମ୍ବାର ବିରୋଧ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ଣ ୧୨ଟା ଯାଏ ଓ ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।