ଅଶୁଭ ଶୁକ୍ରବାର! ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା 7 ଜୀବନ

40ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଟ୍ରକକୁ ଧକ୍କା ଦେଲା ବସ୍ । 7 ମୃତ

ନୂଆଦିଲ୍ଲୀ: ଗୁଜୁରାଟର କଚ୍ଛରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 40 ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଖବର ଅନୁସାରେ, ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଘଟଣାସ୍ଥଳରେ ହିଁ 7ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଟି କେରା ମୁନ୍ଦ୍ରା ରାସ୍ତାରେ ଘଟିଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 30ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।

ଟ୍ରକ-ବସ୍ ମୁହାଁମୁହିଁ ଧକ୍କା-  କେରା ମୁନ୍ଦ୍ରା ରୋଡରେ ଏକ ଘରୋଇ ଯାତ୍ରିବାହୀ ବସ୍ 40 ଲୋକଙ୍କୁ ନେଇ ଆସୁଥିବା ବେଳେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସମୟରେ ଗାଡ଼ିର ବେଗ ଅଧିକ ରହିଥିବା ଯୋଗୁଁ ଗାଡ଼ି ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।

ତେବେ କେଉଁ ଭୁଲ ପାଇଁ ଏଭଳି ଦୁର୍ଘଟଣା ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।