ସରୁଛି ରାସନ କାର୍ଡର E-KYC ଅବଧି, ଲିଙ୍କ ବିନା ମିଳିବନି ମାଗଣା ଚାଉଳ କି ଗହମ

ଭୁବନେଶ୍ୱର– ରାଜ୍ୟରେ ୭୦ ଲକ୍ଷ ହିତାଧିକାରୀ ବାଦ ପଡିପାରନ୍ତି ରାସନରୁ । ନଭେମ୍ବର ୩୦ରେ ରାସନ ପାଇଁ ସରକାର ଇକେୱାଇସିକୁ ବାଧ୍ୟତାମୂଳକ କରିଥିବା ବେଳେ ଏଥିପାଇଁ ଦିଆଯାଇଥିବା ଅବଧି ଶେଷ ହେବାକୁ ଯାଉଛି । ଆଉ ହାତରେ ୧୦ଟି ଦିନ ରହିଛି ଆଉ ଏଯାଏଁ ୭୦ଲକ୍ଷ ପରି ହିତାଧିକାରୀ କରିନାହାନ୍ତି ଇକେୱାଇସି ।

ରାଜ୍ୟରେ ମାଗଣା ଚାଉଳ ପାଇଁ ୩ କୋଟି ୩୬ଲକ୍ଷ ୩୫ ହଜାର ୯୧୮ ହିତାଧିକାରୀଙ୍କ ନାଁ ରହିଛି । ସେମାନଙ୍କ ମଧ୍ୟରୁ ଏଯାଏଁ ୨କୋଟି ୬୬ ଲକ୍ଷଙ୍କ ଇକେୱାଇସି ହୋଇସାରିଛି । ଆଉ ୬୯ଲକ୍ଷ ୪୯ ହଜାର ହିତାଧିକାରୀଙ୍କ ଇକେୱାଇସି ହୋଇନାହିଁ । ଅର୍ଥାତ୍ ୭୦ ଲକ୍ଷ ପରି ହିତାଧିକାରୀ ଆଗକୁ ପାଇପାରିବେ ନାହିଁ ରାସନ । ଏହି ତାଲିକାରେ ସର୍ବାଧିକ ୫, ୪୨ହଜାର ରହିଛନ୍ତି ଗଞ୍ଜାମ ଜିଲ୍ଲାରୁ ।

ତେବେ ଏତେ ଲୋକ କାହିଁକି ଇକେୱାଇସି କରିନାହାନ୍ତି ତାହା ବଡ ପ୍ରଶ୍ନବାଚୀ ହୋଇ ଠିଆହୋଇଛି । ତେବେ ଏହା ପଛରେ ଅନେକ କାରଣ ରହିଛି । ଅନେକ ଥିଲାବାଲା ପୂର୍ବ ସରକାର ଅମଳରେ ଏହି ଜନହିତକାରୀ ଯୋଜନାରେ ପଇସା ପତ୍ର ଦେଇ ସାମିଲ ହୋଇଥିଲେ ଓ ଯୋଜନାର ବେଶ ସୁଫଳ ପାଇଆସୁଥିଲେ । ବର୍ତ୍ତମାନ ଇକେଓା୍ୱଇସି କରିବାକୁ ସେମାନଙ୍କ ମଧ୍ୟରେ ଭୟ ରହିଛି କି କାଳେ ଧରାପଡିଯିବେ । ସେହିପରି ଅନେକ ଭୂତ କାର୍ଡ ମଧ୍ୟ ଚାଲିଆସୁଥିଲା । ଏହା ବ୍ୟତୀତ, ଗ୍ରାମାଞ୍ଚଳରେ ଅଧିକାଂଶ ବାହାରକୁ କାମ କରିବାକୁ ଯାଇଥିବାରୁ ଏହି ଯୋଜନାରେ ଇକେୱାଇସି କରିପାରୁ ନାହାନ୍ତି ବୋଲି ଅନୁମାନ କରାଯାଉଛି ।

ଏମାନେ ୩୦ ତାରିଖ ଭିତରେ ଲିଙ୍କ କରି ନ ପାରିଲେ ସେମାନଙ୍କ କାର୍ଡ ଅବୈଧ ସିଦ୍ଧ ହେବ, ଯାହା ସେମାନଙ୍କ ପାଇଁ ବଡ କ୍ଷତି ହେବାକୁ ଯାଉଛି । ଏବେ ଦେଖିବାକୁ ରହିଲା, ସରକାର କି ପଦକ୍ଷେପ ନେଉଛନ୍ତି ଏମାନଙ୍କ ପାଇଁ ?