୩ ମାସରେ ୮୦,୦୦୦ କର୍ମଚାରୀ ଛାଡ଼ିଛନ୍ତି Infosys, ଜାଣନ୍ତୁ କ’ଣ ଏହାର କାରଣ

ଆଇଟି ସେକ୍ଟରର ପ୍ରମୁଖ କମ୍ପାନୀ ଇନଫୋସିସ୍ ରୁ ଚାକିରି ଛାଡ଼ି ଯାଇଥିବା କର୍ମଚାରୀଙ୍କ ସଂଖ୍ୟା ଲଗାତାର ବଢ଼ୁଛି । ଗତ ତିନିମାସ ମଧ୍ୟରେ ଅଧିକ ସଂଖ୍ୟାରେ କର୍ମଚାରୀ ଛାଡ଼ିଛନ୍ତି କମ୍ପାନୀ । ସାଧାରଣ ଭାବରେ ଆଇଟି କମ୍ପାନୀ ମଧ୍ୟରେ ସବୁବେଳେ ଅଧିକ କୁଶଳ କର୍ମଚାରୀଙ୍କୁ ନିଜ ପାଖରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି ।

୨୭.୭% ଲୋକ ଛାଡ଼ିଛନ୍ତି ଚାକିରି:

ଇନଫୋସିସ୍ ବୁଧବାର ଏହାର ଜାନୁଆରୀ-ମାର୍ଚ୍ଚ ୨୦୨୨ ତ୍ରୈମାସିକ ପରିଣାମ ଜାରି କରିଛି । ଏଥିରେ ଏକ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । ଯେଉଁଥିରେ ଜାନୁଆରୀ-ମାର୍ଚ୍ଚ ୨୦୨୨ ତୈମାସିକରେ କମ୍ପାନୀରୁ ୨୭.୭% କର୍ମଚାରୀ ଚାକିରି ଛାଡ଼ିଛନ୍ତି । ଯାହା ଗତ ୧୨ ମାସ ମଧ୍ୟରେ ସବୁଠୁ ଅଧିକ । ଆଉ ଏଭଳି ଭାବରେ କମ୍ପାନୀ ନିଜର ପ୍ରତିଦ୍ୱନ୍ଦୀ TCSକୁ ବି ପଛରେ ପକାଇଛି । ସୋମବାର ଟିସିଏସ ଜାରି କରିଥିବା ଏହାର ରିପୋର୍ଟରେ ଚାକିରି ଛାଡ଼ିବା ସଂଖ୍ୟା ୧୭.୪% ରହିଛି ।

ଆଇଟି ସେକ୍ଟରରେ କମ୍ପାନୀ ବଦଳାଇବାର ଏକ ବଡ଼ କାରଣ ହେଉଛି ଅନ୍ୟ କମ୍ପାନୀରୁ ଭଲ ପ୍ୟାକେଜ ମିଳିବା । ଏହା ଛଡ଼ା ମାର୍କେଟରେ ଅଧିକ କୁଶଳ କର୍ମଚାରୀଙ୍କ ଅଭାବ ଯୋଗୁଁ କମ୍ପାନୀ ଅନ୍ୟ କମ୍ପାନୀର କର୍ମଚାରୀଙ୍କୁ ଅଧିକ ପ୍ୟାକେଜରେ କିଣିଥାନ୍ତି ।

ସୂଚନାଯୋଗ୍ୟ, ଦେଶର ଦ୍ୱିତୀୟ ସବୁଠୁ ବଡ଼ ଆଇଟି କମ୍ପାନୀ ଇନଫୋସିସ୍ ରୁ ୨୦୨୧ ଅକ୍ଟୋବର-ଡିସେମ୍ବରରେ ୨୫.୫% ଲୋକ ଚାକିରି ଛାଡ଼ିଛନ୍ତି । ଯେତେବେଳେକି ଜୁଲାଇ-ଡିସେମ୍ବରରେ ଏହି ସଂଖ୍ୟା ୨୦.୧% ଏବଂ ଏପ୍ରିଲ-ଜୁନ୍ ତ୍ରୈମାସରେ ୧୩.୯% ରହିଥିଲା ।

ତେବେ ଇନଫୋସିସରୁ ଲୋକେ ଚାକିରି ଛାଡ଼ି ଯାଉଛନ୍ତି ତାହା ନୁହେଁ । କମ୍ପାନୀ ୨୦୨୧-୨୨ ରେ ପ୍ରାୟ ୫୨,୮୨୨ ଲୋକଙ୍କୁ ଚାକିରି ମଧ୍ୟ ଦେଇଛି । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କମ୍ପାନୀର କର୍ମଚାରୀଙ୍କ ସମୁଦାୟ ସଂଖ୍ୟା ୨,୯୭,୮୫୯ ରହିଛି । କମ୍ପାନୀ ସବୁଠୁ ଅଧିକ ୨୨ ହଜାର କର୍ମଚାରୀ ଜାନୁଆରୀ-ମାର୍ଚ୍ଚ ତ୍ରେମାସିକରେ ଯୋଡ଼ିଛନ୍ତି । ସେହିପରି ଜାନୁଆରୀ-ମାର୍ଚ୍ଚ ମାସରେ କମ୍ପାନୀର ଲାଭ ୧୨% ବଢ଼ି ୫,୬୮୬ କୋଟି ଟଙ୍କା ହୋଇଛି ।