fbpx

ଭାରତରୁ ଟିକା ରପ୍ତାନି ବନ୍ଦ ପରେ ବଡ଼ ବିପଦରେ ବିଶ୍ୱର ୯୧ ଦେଶ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତ ଉପରେ ଥିଲା ଭରସା । ପ୍ରଥମେ ବିଶ୍ୱର ବିଭିନ୍ନ ଦେଶକୁ ଭାରତ ହିଁ ଯୋଗାଇବା ଆରମ୍ଭ କଲା କୋଭିଡ୍ ଟିକା । ତେବେ ଦେଶ ସମ୍ପ୍ରତି ମହାମାରୀ କରୋନା ପାଇଁ ଗମ୍ଭୀର ସ୍ଥିତିରେ ରହିଛି । ଦେଶରେ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଛି ଏବଂ ସମସ୍ତ ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଆଶୁ ଉଦ୍ୟମ କରୁଛନ୍ତି । ଏଭଳି ସ୍ଥିତିରେ ଭାରତ ଆଉ ଅନ୍ୟ ଦେଶକୁ ଯୋଗାଇପାରିଲାନି ଟିକା । ଫଳରେ ବିଶ୍ୱର ୯୧ଟି ଦେଶ କରୋନା ସଂକ୍ରମଣର ଗୁରୁତ୍ୱର ପରିସ୍ଥିତି ଦେଇ ଗତି କରୁଛନ୍ତି । ଏଭଳି ସୂଚନା ଦେବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଥିବା ଜଣାପଡ଼ିଛି । ଏପରିକି ଅନେକ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଆଶଙ୍କା ସୃଷ୍ଟି ହୋଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଭାରତର ଟିକା ରପ୍ତାନି ବନ୍ଦ ହେବା ପରେ ବିଶେଷକରି ଆଫ୍ରିକୀୟ ଦେଶଗୁଡ଼ିକରେ ବି.୧.୬୧୭.୨ ଭାରିଆଣ୍ଟ ବ୍ୟାପିବା ନେଇ ବିପଦ ବଢ଼ିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଅର୍ଥନୀତିଜ୍ଞ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ ବିଶ୍ୱର ୯୧ଟି ଦେଶରେ ଟିକା ଯୋଗାଣ ପ୍ରଭାବିତ ହୋଇଛି । ବିଶେଷକରି ଭାରତ ଟିକା ଯୋଗାଣ ବନ୍ଦ କରିବା ପରେ ପରେ ଏଷ୍ଟ୍ରାଜେନେକାର ମୂଳ କମ୍ପାନି ଭାକ୍ସିନ୍ ଅଭାବ ପୂରଣ କରିପାରିଲା ନାହିଁ । ଫଳରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ସ୍ୱାମୀନାଥନ ଆହୁରି କହିଛନ୍ତି ଯେ ସମ୍ପୃକ୍ତ ଦେଶଗୁଡ଼ିକ ନୂଆ ଭାରିଆଣ୍ଟ୍ ବ୍ୟତୀତ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ବ୍ୟାପିବାର ଆଶଙ୍କା ରହିଛି । ଭାରତ ପକ୍ଷରୁ ମଧ୍ୟମ ଓ କମ୍ ଆୟବର୍ଗର ଦେଶଗୁଡ଼ିକୁ ଭାକ୍ସିନ୍ ଯୋଗାଣ କରାଯାଉଥିଲା ।  କିନ୍ତୁ ନିଜ ଦେଶରେ ସ୍ଥିତି ବିଗିଡ଼ିବା ଅବସ୍ଥାକୁ ଆସିବା ପରେ ଭାରତ ବାଧ୍ୟ ହୋଇ ଟିକା ରପ୍ତାନି ବନ୍ଦ କରିଦେଇଛି ।

ଡା. ସ୍ୱାମୀନାଥନ ଆହୁରି କହିଛନ୍ତି ଯେ ଠିକ୍ ସମୟରେ ଟିକା ଯୋଗାଣ ଓ ଟିକାକରଣ ହୋଇନପାରିଲେ ଆଗାମୀ ଦିନରେ ବିପଦ ଆହୁରି ବଢ଼ିବାର ଆଶଙ୍କାକୁ ଏଡ଼ାଇ ହେବନି । ଗୋଟିଏପଟେ କରୋନାର ବ୍ୟାପକତା କମ୍ ହେବା ପରେ ଅନେକ ଦେଶ ସ୍ୱାଭାବିକ ଜୀବନ ଜୀଇଁବାକୁ ଉଦ୍ୟମ କରିବାବେଳେ ଅନେକ ଦେଶର କୋଭିଡର ଭୟାବହତାରେ କଲବଲ ହୋଇପାରନ୍ତି । ଏହାରି ମଧ୍ୟରେ ଭାକ୍ସିନ୍ କିଣିବା ପାଇଁ ଭାରତ ସରକାରଙ୍କ ସହ ଆଲୋଚନା ଚାଲିଛି । ତେବେ କରୋନାର ଦ୍ୱିତୀୟ ତରଙ୍ଗରେ ଖୁବ୍ ପ୍ରଭାବିତ ହୋଇଥିବାରୁ ପ୍ରଥମେ ଘରୋଇ ଭାବେ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଭାରତ ସରକାର ଉଦ୍ୟମ କରୁଥିବା ଡା. ସ୍ୱାମୀନାଥନ କହିଛନ୍ତି ।

Get real time updates directly on you device, subscribe now.