fbpx

ହିନ୍ଦୁଙ୍କ ଘର ଜଳିଲେ ମୁସଲମାନଙ୍କ ଘର କେମିତି ସୁରକ୍ଷିତ ରହିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯଦି ହିନ୍ଦୁଙ୍କ ଘର ଜଳିବ ତେବେ ମୁସଲମାନଙ୍କ ଘର କେମିତି ସୁରକ୍ଷିତ ରହିବ। ହିନ୍ଦୁ ସୁରକ୍ଷିତ ରହିବ ତ ମୁସଲମାନ ମଧ୍ୟ ସୁରକ୍ଷିତ ରହିବେ। ହିନ୍ଦୁଙ୍କ ଘର ସୁରକ୍ଷିତ ରହିବ ତ ମୁସଲିମଙ୍କ ଘର ମଧ୍ୟ ସୁରକ୍ଷିତ ରହିବ। ଏମିତି ସ୍ପଷ୍ଟ ଭାଷାରେ ରବିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି ଯେବେ ଦଙ୍ଗା ହୋଇଥାଏ ତେବେ ପ୍ରତିଟି ସଂପ୍ରଦାୟ ପ୍ରଭାବିତ ହୋଇଥାନ୍ତି। ଆମେ ପାଞ୍ଚ ବର୍ଷରେ କୌଣସି ଦଙ୍ଗା ହେବାକୁ ଦେଇନୁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି।

ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ ଯୋଗୀ କହିଛନ୍ତି, ୧୯୯୦ରେ କଂଗ୍ରେସ ବିରୋଧୀ ଲହର ଯୋଗୁଁ ଅନେକ ଦଳ କ୍ଷମତାସୀନ ହୋଇଥିଲେ। ସେହି ସମୟରେ ରାମଭକ୍ତଙ୍କ ଉପରେ ଗୁଳି ଚଳାଇବାର ପାପ ସମାଜବାଦୀ ପାର୍ଟି କରିଥିଲା। କେବଳ ୧୯୯୦ରେ ନୁହେଁ ବରଂ ଯେବେ ବି ସମାଜବାଦୀ ପାର୍ଟିକୁ ସୁଯୋଗ ମିଳିଛି କୌଣସି ବ୍ୟକ୍ତି ନିଜକୁ ସୁରକ୍ଷିତ ମଣି ନାହାନ୍ତି। ସମାଜବାଦୀ ପାର୍ଟି ସରକାରରେ ରାଜ୍ୟ ଦଙ୍ଗାର ନିଆଁରେ ଜଳୁଥିଲା। ହେଲେ ଆଜି ଆମେ କହି ପାରିବୁ ଯେ, ଆମେ ରାଜ୍ୟକୁ ଦଙ୍ଗାମୁକ୍ତ କରିଛୁ।

ଅଯୋଧ୍ୟା-କାଶୀ ପରେ ମଥୁରା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ନିଜର ଅତୀତ ଗୌରବ ଫେରାଇ ଆଣିବାକୁ ଆମେ ଏକ ଅଭିଯାନ ଚଳାଇଛୁ। ଆମେ ମଥୁରା ବି ନିର୍ମାଣ କରିବୁ। ଯାହାର ଦମ ଥିବ ସେମାନେ ମଥୁରା ନିର୍ମାଣ କରିବେ ବୋଲି ଯୋଗୀ କହିଛନ୍ତି। ଯୋଗୀ କହିଛନ୍ତି, ଯେଉଁ ଲୋକେ କହୁଥିଲେ ନିଷ୍ପତ୍ତି ଆସିଲେ ରକ୍ତର ନଦୀ ବହିବ। ସେମାନେ ଆଜି ଦେଖି ପାରୁଥିବେ ଆମେ କେମିତି ରାମ ମନ୍ଦିର ନିର୍ମାଣରେ ଆଗକୁ ବଢିଛୁ। ରାଷ୍ଟ୍ରବାଦ ଆମର ଏଜେଣ୍ଡା। ରାମ ମନ୍ଦିର ସାଂସ୍କୃତିକ ରାଷ୍ଟ୍ରବାଦର ଅଂଶ। ବିଶ୍ଵନାଥ ଧାମ ଏବଂ କୁମ୍ଭ ମଧ୍ୟ ଏହାର ଅଂଶ ବୋଲି ଯୋଗୀ କହିଛନ୍ତି।

Get real time updates directly on you device, subscribe now.