fbpx

ପନ୍ତ ଏବଂ ରାହୁଲଙ୍କ ଅର୍ଦ୍ଧଶତକ, ଦ. ଆଫ୍ରିକାକୁ ୨୮୮ ରନ ଟାର୍ଗେଟ୍ ଦେଲା ଭାରତ

ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଭାରତ ଋଷଭ ପନ୍ତ ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୮୭ ରନ କରିଛି। ଘରୋଇ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୮ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ଋଷଭ ପନ୍ତ ୮୫ ରନର ଦମଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ କେଏଲ ରାହୁଲ ୫୫ ରନ କରିଛନ୍ତି। ତେବେ ଶାର୍ଦ୍ଦୁଳ ଠାକୁରଙ୍କ ଅପରାଜିତ ୪୦ ରନ ଇନିଂସ ବଳରେ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ତବ୍ରିଜ ଶମସି ୨ଟି ସଫଳତା ପାଇଛନ୍ତି । ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ ରହିଛି। ଭାରତ ମ୍ୟାଚ୍ ଜିତିଲେ ସିରିଜ୍ ବରାବର ସ୍ଥିତିକୁ ଆସିବ। ହାରିଲେ ସିରିଜ୍ ହାତଛଡା କରିବ ଭାରତ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଲୋକେଶ ରାହୁଲ ଏବଂ ଶିଖର ଧାଓ୍ଵନ ଭଲ ଆରମ୍ଭ କରିଥିଲେ। ଦୃଢ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୬୩ ରନ ଯୋଡିଥିଲେ ଓପନିଂ ଯୋଡି। ତେବେ ଦଳୀୟ ସ୍କୋର ୬୩ରେ ଶିଖରା ଧାଓ୍ଵନ(୨୯) ଆଉଟ୍ ହୋଇଥିଲେ। ତେବେ ଭାରତକୁ କୋହଲିଙ୍କ ରୂପେ ଦ୍ଵିତୀୟ ବଡ ଝଟକା ଲାଗିଥିଲା। କୋହଲି ଖାତା ଖୋଲିବା ପୂର୍ବରୁ କେଶବ ମହାରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଏବଂ ଋଷଭ ପନ୍ତ ଇନିଂସ ଆଗକୁ ବଢାଇଥିଲେ। ଦୁହେଁ ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟରେ ଶତକୀୟ ଭାଗିଦାରୀ ଯୋଡିଥିଲେ। ଏହି କ୍ରମରେ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ। ୧୭୯ ସ୍କୋରରେ ଭାରତକୁ ତୃତୀୟ ଝଟକା ଲାଗିଥିଲା । କେଏଲ ୫୫ ରନ କରି ବିଦାୟ ନେଇଥିଲେ ।

ପରେ ଶତକ ଆଡକୁ ଅଗ୍ରସର ହେଉଥିବା ଋଷଭ ପନ୍ତ ଡବ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୭୧ ବଲ୍ରୁ ୧୦ ଚୌକା ଏବଂ ୨ ଛକା ସହ ୮୫ ରନ କରି ପାଭିଲିୟନ ଫେରି ଯାଇଥିଲେ। ଦୁଇ ସେଟ୍ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ଭାରତର ରନ ଗତି ଧିମେଇ ଯାଇଥିଲା। ପୁଣି ଥରେ ଶ୍ରେୟସ ଆୟର ନିରାଶ କରି ବ୍ୟକ୍ତିଗତ ୧୧ ରନ କରି ଆଉଟ୍ ହୋଇଥିଲେ। ନବାଗତ ଶ୍ରେୟସ ଆୟର(୨୨) କରିଥିଲେ ହିଁ ଏହାକୁ ବଡ ସ୍କୋରରେ ପରିଣତ କରି ପାରିନଥିଲେ।

ତେବେ ଶେଷ ଆଡକୁ ଶାର୍ଦ୍ଦୁଳ ଠାକୁର ଏବଂ ରବିଚନ୍ଦ୍ରନ ଅଶ୍ଵିନ ସାହସିକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅପରାଜିତ ରହି ଦଳର ସ୍କୋରକୁକ ୨୮୭ରେ ପହଞ୍ଚାଇଥିଲେ। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ଠାକୁର ଆଜିର ମ୍ୟାଚରେ ୪୦ ରନ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୫ ରନର କରି ଅପରାଜିତ ଥିଲେ। ଉଭୟ ଅସମାପ୍ତ ସପ୍ତମ ଓ୍ଵିକେଟ୍ରେ ୪୮ ରନ ଯୋଡିଥିଲେ ।

Get real time updates directly on you device, subscribe now.