ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କମ୍, ମେଡିସିନ୍ ଦୋକାନରେ ବସି ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର, ଦାମୀ ଔଷଧ ଲେଖୁଥିବା ନେଇ ସାଧାରଣରେ ଅଭିଯୋଗ
ଲହୁଣୀପଡ଼ା, (ଭାସ୍କର ନ୍ୟୁଜ୍): ସାଧାରଣତଃ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଜନୌଷଧିକୁ କେନ୍ଦ୍ର ଖୋଲି ବହୁ କମ୍ ମୂଲ୍ୟରେ ଔଷଧ ଲୋକଙ୍କୁ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି । ଗରିବ ଲୋକମାନେ କେମିତି ମାଗଣାରେ ଔଷଧ ପାଇପାରିବେ ସେଥିପାଇଁ ସରକାରଙ୍କ ତରଫରୁ ଏହି ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ମିଳୁଥିବା ଔଷଧ ହଁ ଲୋକମାନଙ୍କୁ ଦେବାକୁ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରାଯାଇଛି । ଆହୁରି ମଧ୍ୟ ଗରିବ ଲୋକ ଟଙ୍କା ଅଭାବରୁ ଚିକିତ୍ସିତ ହୋଇନ ପାରି ସେମାନଙ୍କ ଜୀବନ ମଧ୍ୟ ଚାଲିଯାଉଥିଲାବେଳେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡର ପରିକଳ୍ପନା କରି ସମସ୍ତ ଜିଲ୍ଲା ରେ ଲୋକଙ୍କୁ କାର୍ଡ ବାଣ୍ଟନ କରୁଛନ୍ତି । ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ସ୍ଥିତ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଚିନ୍ମୟ ସାହୁଙ୍କ ବିରୋଧରେ ଆସିଛି ଅଭିଯୋଗ । ଡଃ ସାହୁ କୁଆଡେ ରୋଗୀଙ୍କୁ ଡାକ୍ତରଖାନାରେ ବହୁତ କମ୍ ସମୟ ଚିକିତ୍ସିତ କରୁଥିଲାବେଳେ ଅଧିକ ସମୟ ଏକ ନିର୍ଦ୍ଦିଷ୍ଟ ମେଡିସିନ୍ ଦୋକାନରେ ବସି ରୋଗୀ ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି । ସେହିଭଳି ସରକାର ପ୍ରଦତ୍ତ ଜନୌଷଧିକୁ ସେ ରୋଗୀଙ୍କୁ ନଦେଇ ବାହାର ମେଡିସିନକୁ ବେଶୀ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି । ପୁନଶ୍ଚ ଡ. ସାହୁ ରୋଗୀଙ୍କୁ ଯେଉଁ ମେଡିସିନ ସବୁ ଲେଖୁଛନ୍ତି ତାହା ଅତି ଦାମୀ ଓ ଦୁଇରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ହେଉଛି । ଯାହା ଫଳରେ ସାଧାରଣ ରୋଗୀଟିଏ ଔଷଧ କିଣିବା ତା ପାଇଁ ସମ୍ଭବ ହୋଇ ପାରୁନାହିଁ । ଡା. ସାହୁ ଉକ୍ତ ମେଡିସିନ ଦୋକାନରେ ରୋଗୀ ଦେଖିବା ସହ ସେମାନଙ୍କୁ ତାଙ୍କ ପ୍ରାଇଭେଟ୍ କ୍ଳନିକକୁ ଯିବାପାଇଁ ମଧ୍ୟ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।
ଲହୁଣୀପଡ଼ା ଠାରେ ୮ଟି ଔଷଧ ଦୋକାନ ଥିଲେ ସୁଦ୍ଧା ଡା. ସାହୁ ଯେଉଁ ମେଡିସିନ ଲେଖନ୍ତି ତାହା କେବଳ ସେହି ନିର୍ଦ୍ଦିଷ୍ଟ ଔଷଧ ଦୋକାନରେ ମିଳିଥାଏ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଏ ସଂକ୍ରାନ୍ତରେ ଆମ୍ଭେ ଡଃ ସାହୁ ଙ୍କ ପ୍ରତିକ୍ରିୟା ନେବାରୁ କଥାଟିକୁ ଅତି ହାଲୁକା ଭାବେ ନେଇ କଥା ଟିକୁ ଏଡାଇ ଦେଇ ଥିଲେ । ସେ ତାଙ୍କର ସଫେଇରେ କହିଥିଲେ ଯେ ମୁଁ ହୁଏ ତ ଯେଉଁ କମ୍ପାନୀର ଔଷଧ ଲେଖୁଛି ଅନ୍ୟ ଔଷଧ ଦୋକାନରେ ସେହି ଔଷଧ ଉପଲବ୍ଧ ହେଉନଥିବ । ସେଥି ।ଇଁ ମିଳୁଥିବ । ତେବେ ଲହୁଣୀପଡ଼ା ଅଞ୍ଚଳ ରେ ୮ଟି ଔଷଧ ଦୋକାନ ଥିଲେ ସୁଦ୍ଧା କେବଳ ସେହି କମ୍ପାନୀ ର ଔଷଧ କେବଳ ଗୋଟିଏ ଔଷଧ ଦୋକାନରେ କେମିତି ଉପଲବ୍ଧ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣେ ଡଃ ସାହୁ କୁଆଡେ କମ୍ପାନୀର ରିପ୍ରେଜେଣ୍ଟିଟିଭ ମାନଙ୍କଙ୍କୁ ଅନ୍ୟ ଔଷଧ ଦୋକାନରେ କମ୍ପାନୀ ଔଷଧ ଦେବା ପାଇଁ ମନାକରି ଥାନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହା ତଦନ୍ତ ପରିସରଭୁକ୍ତ ହେଲ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।