fbpx

ଫେବୃଆରୀ ୧୩ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ତାରିଖ ଘୋଷଣା କରିଛି। ଗତ ବର୍ଷ କରୋନା କାରଣରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇ ପାରିନଥିଲା। ଏଥର ଏହାକୁ ଜାନୁଆରୀ ୧୩ରେ ଆରମ୍ଭ କରାଯିବାର ଯୋଜନା ଥିଲା। ମାତ୍ର ଦେଶରେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ଅନିର୍ଦ୍ଧିଷ୍ଟକାଳ ପଯ୍ୟର୍ନ୍ତ ସ୍ଥଗିତ କରାଯାଇଥିଲା। କିନ୍ତୁ ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଖୋଦ୍ ଜଣାଇଛନ୍ତି ଯେ, ରଣଜୀ ଟ୍ରଫି ୨୦୨୨ କେବେ ଆରମ୍ଭ ହେବ। ବୋର୍ଡ ପ୍ରମୁଖଙ୍କ ଅନୁଯାୟୀ, ଫେବୃଆରୀ ୧୩ରୁ ରଣଜୀ ଟ୍ରଫି ଆରମ୍ଭ ହେବ। ଏପରିକି ଟୁର୍ଣ୍ଣାମେଣ୍ଟର ଫର୍ମାଟରେ କୌଣସି ପରିବର୍ତ୍ତନ ହେବ ନାହିଁ।

ସ୍ପୋର୍ଟ୍ସ ଷ୍ଟାର ସହ ଆଲୋଚନା ବେଳେ ଗାଙ୍ଗୁଲି ରଣଜୀ ଟ୍ରଫି ଆୟୋଜନର ତାରିଖ ସ୍ପଷ୍ଟ କରିଛନ୍ତି। ସମସ୍ତ ଦଳକୁ ନେଇ ୫ଟି ଗ୍ରୁପ କରାଯିବ। ପ୍ରତିଟି ଗ୍ରୁପରେ ଛଅଟି ଦଳ ରହିବେ। ପ୍ଲେଟ୍ ଗ୍ରୁପରେ ରହିବେ ୮ଟି ଦଳ। ଗାଙ୍ଗୁଲି କହିଛନ୍ତି, ଆମେ ଫେବୃଆରୀ ୧୩ରୁ ରଣଜୀ ଟ୍ରଫି ଆରମ୍ଭ କରିବାକୁ ଯୋଜନା ରଖିଛୁ। ଟୁର୍ଣ୍ଣାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ପ୍ରଥମ ପର୍ଯ୍ୟାୟ ଗୋଟିଏ ମାସର ରହିବ ଏବଂ ଏହା ଆଇପିଏଲ ୨୦୨୨ ପୂର୍ବରୁ ଖେଳାଯିବ।

ଜୁନରେ ନକଆଉଟ୍ ମୁକାବିଲା

ପ୍ରଥମ ପର୍ଯ୍ୟାୟରେ ଲିଗ୍ ସ୍ତରୀୟ ମ୍ୟାଚ୍ ଖେଳାଯିବ ଏବଂ ନକଆଉଟ୍ ମୁକାବିଲା ଜୁନ ମାସରେ ଆୟୋଜନ କରାଯିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ରଣଜୀ ଟ୍ରଫିର ନକଆଉଟ୍ ମୁକାବିଲାର ଆୟୋଜନ ଜୁନ ଏବଂ ଜୁଲାଇରେ କରାଯିବ।

Get real time updates directly on you device, subscribe now.