ସେନା ପୋଷାକ ପିନ୍ଧି ଅଡୁଆରେ ମୋଦୀ: ନୋଟିସ ଜାରି କଲେ ଉତ୍ତର ପ୍ରଦେଶ କୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି କୋର୍ଟ ନୋଟିସ୍ । ଜମ୍ମୁ କାଶ୍ମୀରରେ ସେନା ୟୁନିଫର୍ମ ପିନ୍ଧିବାକୁ ନେଇ ମୋଦୀଙ୍କ ପାଇଁ ନୋଟିସ ଜାରି କରିଛନ୍ତି ପ୍ରୟାଗରାଜ ଜିଲ୍ଳା କୋର୍ଟ । ଗତବର୍ଷ ଜମ୍ମୁ କାଶ୍ମୀର ଗସ୍ତ ସମୟରେ ମୋଦୀ ସେନା ପୋଷାକରେ ନଜର ଆସିଥିଲେ । ଏନେଇ ପ୍ରୟାଗରାଜ ଜିଲ୍ଲା କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ଜିଲ୍ଲା ଜଜ୍ ନଳିନୀ କୁମାର ଶ୍ରୀବାସ୍ତବ ଏହି ମାମଲାର ଶୁଣାଣି କରି ପିଏମଓକୁ ନୋଟିସ ପଠାଇଛନ୍ତି ।

ସେନାବାହିନୀର ଯବାନଙ୍କ ପୋଷାକ ପିନ୍ଧିବା ହେଉ କି ବ୍ୟବହୃତ ଅନ୍ୟ କୌଣସି ସାମଗ୍ରୀର ବ୍ୟବହାର ଆଇପିସିର ଧାରା ୧୪୦ ଅନୁଯାୟୀ ଅପରାଧ । ରାକେଶ ନାଥ ପାଣ୍ଡେ ନାମକ ଜଣେ ଓକିଲଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଥିଲା । ଏହା ସହିତ ରାକେଶ ଧାରା ୧୫୬(୩) ଅନୁସାରେ ମୋଦୀଙ୍କ ବିରୋଧରେ ଅପରାଧିକ ମାମଲା ଜାରି କରିବା ପାଇଁ ଆବେଦନ କରିଛନ୍ତି । ଡିସେମ୍ବର ୨୦୨୧ରେ ପାଣ୍ଡେ ସମାନ ମାମଲା ରୁଜୁ କରିଥିଲେ ହେଁ ଜୁଡିସିଆଲ ମାଜିଷ୍ଟ୍ରେଟ ହରେନ୍ଦ୍ର ନାଥ ଏହାକୁ ଖାରଜ କରି ଦେଇଥିଲେ । ଏହି ମାମଲା କୋର୍ଟଙ୍କ ପରିସୀମା ବାହାରେ ତେଣୁ କୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ଜୁଡିସିଆଲ ମାଜିଷ୍ଟ୍ରେଟ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ପରଠାରୁ ମୋଦୀ ନିୟମିତ ଭାବରେ ସେନା ୟୁନିଫର୍ମ ପିନ୍ଧିଥାନ୍ତି । ପ୍ରତି ଦିପାବଳୀ ମୋଦୀ ସେନାବାହିନୀ ସହିତ ବିତାଉଥିବା ବେଳେ ସେଠାରେ ସେ ସେନା ୟୁନିଫର୍ମ ପିନ୍ଧିଥାନ୍ତି । ତେବେ ମୋଦୀ କେବଳ କିଛି ନିର୍ଦ୍ଦିଷ୍ଟ ସମୟରେ ଏହି ସମୟରେ ଏହି ୟୁନିଫର୍ମ ପିନ୍ଧୁଥିବା ବେଳେ ଏକାଧିକ ରାଷ୍ଟ୍ରମୁଖ୍ୟ ମାନେ ଏହାକୁ ସର୍ବଦା ପରିଧାନ କରିଥାନ୍ତି । ତୁର୍କୀର ରେକେପ୍ ଟାଇପ୍ ଏର୍ଡୋଗାନ, ଚୀନର ଜି ଜିନପିଙ୍ଗ ଏବଂ ଋଷିଆର ଭ୍ଲାଦିମିର ପୁତିନ ସର୍ବଦା ସେନା ୟୁନିଫର୍ମ ପିନ୍ଧିଥାନ୍ତି । ତେବେ ଭାରତୀୟ ଆଇନ ଅନୁସାରେ କେବଳ ରାଷ୍ଟ୍ରପତି ସେନା ପୋଷାକ ପିନ୍ଧିବାର ସାମ୍ବିଧାନିକ ଅଧିକାର ରଖନ୍ତି ।