fbpx

ପଞ୍ଜାବ ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କୁ ବଡ ଆଶ୍ଵସ୍ତି, ରୋଡ୍ ରେଡ୍ କେସର ଶୁଣାଣି ତାରିଖ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟରୁ ନେତା ହୋଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ଵସ୍ତି ମିଳିଛି। ରୋଡ୍ ରେଡ୍ କେସର ୩୨ ବର୍ଷ ପୁରୁଣା ମାମଲାରେ ଫେବୃଆରୀ ୨୫ରେ ଶୁଣାଣି କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାରିଖ ଧାର୍ଯ୍ୟ କରିଛନ୍ତି। ଉକ୍ତ କେସରେ ସିଦ୍ଧୁଙ୍କ ବିରୋଧରେ ହୋଇଥିବା କମ ସଜା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପୀଡିତ ପରିବାର ପକ୍ଷରୁ ଆବେଦନ କରାଯାଇଛି।

ସିଦ୍ଧୁଙ୍କ ପକ୍ଷରୁ ହାଜର ବରିଷ୍ଠ ଆଡଭୋକେଟ୍ ପି. ଚିଦାମ୍ବରମ କୋର୍ଟକୁ ମାମଲାର ଶୁଣାଣି ଫେବୃଆରୀ ୨୩ ପରେ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ଗ୍ରହଣ କରି ପୀଠ ଫେବୃଆରୀ ୨୫ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ସିଦ୍ଧୁ ବର୍ତ୍ତମାନ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି। ଅନ୍ୟପଟେ ବିଧାନସଭା ନିର୍ବାଚନ ନେଇ ଚଳଚଞ୍ଚଳ ପଞ୍ଜାବ ରାଜନୀତି। ଫେବୃଆରୀ ୨୦ରେ ମତଦାନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କୋର୍ଟଙ୍କ ଏହି ରାୟ ସିଦ୍ଧୁଙ୍କ ପାଇଁ ବଡ ଆଶ୍ଵସ୍ତି ହୋଇଛି।

ସୂଚନାଯୋଗ୍ୟ, ୧୯୮୮ରେ ଏକ କାର ପାର୍କିଂକୁ ନେଇ ସିଦ୍ଧୁଙ୍କ ଜଣେ ବୃଦ୍ଧଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। କ୍ରୋଧିତ ସିଦ୍ଧୁ ୬୫ ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ପରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ବୃଦ୍ଧଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ସିଦ୍ଧୁ କହିଥିଲେ। ଏହି ମାମଲାରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ସିଦ୍ଧୁଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ୨୦୧୮ରେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଜରିମାନା ସହ ଛାଡି ଦେଇଥିଲେ।

Get real time updates directly on you device, subscribe now.