ନୂଆଦିଲ୍ଲୀ: ସଙ୍ଗୀତ ଜଗତର ବୁଲବୁଲଙ୍କ ବିୟୋଗରେ ଆଜି ସମଗ୍ର ଭାରତବର୍ଷ କାନ୍ଦୁଛି । ଆଜକୁ ଠିକ୍ ୯୨ ବର୍ଷ ତଳେ ଏହି ଲତା ଭାରତମାତାର ଗର୍ଭରୁ ଧରାବତରଣ କରିଥିଲା । ସେଇ ଛୋଟିଆ ଗୁଳ୍ମ ଲତା ଆଜି ଏକ ବିଶାଳକାୟ ସଙ୍ଗୀତର ବଟବୃକ୍ଷରେ ପରିଣତ ହୋଇସାରିଛି । ସେଇ ଲତାର ସ୍ୱରର ଯାଦୁ କାହିଁ କେତେ ବିଶ୍ୱ ପର୍ଯ୍ୟନ୍ତ ଲମ୍ବିଛି ତା’ର କଳନା ନାହିଁ । ତେଣୁ ସେଇ ଲତାକୁ ଛାଡ଼ି କେମିତି ରହିପାରିବେ ସଙ୍ଗୀତକୁ ଭଲ ପାଉଥିବା ଏଇ ମଣିଷମାନେ । ଆଜି ବି ସେଇ ସୁର ସାମ୍ରାଜ୍ଞୀଙ୍କ ବିଷୟରେ ଅନେକ କଥା କେହି ଜାଣି ନାହାନ୍ତି । ପ୍ରତ୍ୟେକ ମହାନ୍ ତଥା ସଫଳ ବ୍ୟକ୍ତିଙ୍କ ପରି ଲତାଙ୍କ ଜୀବନରେ ମଧ୍ୟ କିଛି ଅଜଣା କାହାଣୀ ରହିଛି ।
୧- ଲତା ପିଲାବେଳକୁ ଘରର ଦାୟିତ୍ୱ ସମ୍ଭାଳିଥିଲେ । ସେ ୫ ବର୍ଷ ବୟସରୁ ପିତା ଦୀନନାଥଙ୍କ ସହ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ।
୨- ଏକଥା ହୁଏତ କେହି ଜାଣି ନଥିବେ ଲତା ଜୀବନ କାଳ ମଧ୍ୟରେ ମାତ୍ର ଗୋଟିଏ ଦିନ ସ୍କୁଲ ଯାଇଥିଲେ । କୁହାଯାଏ, ଲତା ସ୍କୁଲରେ ଛୋଟ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବାକୁ ଚାହୁଁଥିଲେ, ମାତ୍ର ଏଥିରେ ସ୍କୁଲର ଶିକ୍ଷକ ରାଜି ନହେବାରୁ ଲତା ସ୍କୁଲ ଯିବା ବନ୍ଦ କରିଦେଇଥିଲେ ।
୩- ୧୯୪୨ରେ ପିତା ଦୀନନାଥଙ୍କ ଦେହାନ୍ତ ପରେ ଲତାଙ୍କ ଜୀବନକୁ କଳାବାଦଲ ମାଡ଼ି ଆସିଥିଲା । ମାତ୍ର ୧୩ ବର୍ଷର ହସି ଖେଳିବା ବୟସରେ ସେ ଘରର ଭରଣପୋଷଣ ଦାୟିତ୍ୱ ସମ୍ଭାଳିଥିଲେ । ଏହି ଠାରୁ ହିଁ ତାଙ୍କର ସଙ୍ଗୀତ କ୍ୟାରିୟର ଆରମ୍ଭ ହୋଇଥିଲା ।
୪- ୧୯୪୫ରେ ମାଷ୍ଟର ବିନାୟକ ଲତାଙ୍କୁ ଏକ ବଡ଼ ଫିଲ୍ମରେ ଛୋଟ ରୋଲ୍ ପାଇଁ ଅଫର ଦେଇଥିଲେ । ମାତ୍ର ଲତାଙ୍କ ରୁଚୀ ଗୀତ ଗାଇବାରେ ଥିବାରୁ ସେ ଉକ୍ତ ବର୍ଷ ଭାରତୀୟ ଶାସ୍ତ୍ରୀ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ।
୫- ଲତାଙ୍କୁ ନିଜ ସ୍ୱର ପାଇଁ ଅନେକ ଥର ରିଜେକ୍ଟ ହେବାକୁ ପଡ଼ିଥିଲା । ସଂଘର୍ଷ ପରେ ମା’ ସ୍ୱରସ୍ୱତୀଙ୍କ ଆଶିର୍ବାଦରୁ ୧୯୪୯ରେ ପ୍ରଥମେ ଫିଲ୍ମରେ ଗୀତ ଗାଇଥିଲେ ।
୬- ଆଧୁନିକତାଠାରୁ ନିଜକୁ ଦୂରେଇ ରଖୁଥିବା ଲତା ନିଜ ପରିବାର କାରଣରୁ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ନିଜର ଆକର୍ଷଣୀୟ ସ୍ୱରରେ ଗୀତ ଗାଇ ଲତା ଭାରତର ନାମକୁ ବିଶ୍ୱରେ ପରିଚିତ କରାଇବାରେ ସକ୍ଷମ ହୋଇଛନ୍ତି ।