fbpx

ୟୁକ୍ରେନ ବିବାଦ: ରାଷ୍ଟ୍ରପତି ବାଇଡେନଙ୍କ ଚେତାବନୀ, ତୁରନ୍ତ ୟୁକ୍ରେନ ଛାଡନ୍ତୁ ଆମେରିକା ନାଗରିକ

ନୂଆଦିଲ୍ଲୀ: ୟୁକ୍ରେନ ବିବାଦକୁ ନେଇ ଆମେରିକା ଏବଂ ରୁଷ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହା ମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ କହିଛନ୍ତି। ୟୁକ୍ରେନ ସଙ୍କଟକୁ ଦୃଷ୍ଟିରେ ରଖି ବାଇଡେନ ନିଜ ନାଗରିକଙ୍କୁ ଏମିତି କହିଛନ୍ତି।

ଏହା ପୂର୍ବରୁ ୟୁକ୍ରେନ ସଙ୍କଟ ଉପରେ ବୈଠକ ଡକାଇବାକୁ ଆମେରିକାର ପ୍ରସ୍ତାବ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ପାରିତ ହୋଇଥିଲା। ୟୁଏନଏସସିର ବୈଠକରେ ଆମେରିକା ଏବଂ ରୁଷ ରାଷ୍ଟ୍ରଦୂତଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ରୁଷ ୟୁକ୍ରେନକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକ ଉତ୍ତେଜନା ବଢାଉଥିବା ଅଭିଯୋଗ କରିଥିବା ବେଳେ ଆମେରିକା ୟୁକ୍ରେନ ସୀମାରେ ଏକ ଲକ୍ଷ ରୁଷି ସୈନିକଙ୍କ ଡେରା ପକାଇବା ନେଇ ଆପତ୍ତି ଉଠାଇଛି।

ଏପରିକି ବିଶ୍ଵର ଦୁଇ ସବୁଠୁ ଶକ୍ତିଶାଳୀ ଦେଶ ୟୁକ୍ରେନ ବିବାଦରେ ପରସ୍ପରକୁ ଚେତାବନୀ ମଧ୍ୟ ଦେଇ ସାରିଛନ୍ତି। ଏହି ବିବାଦ ସମାଧାନ ହେବା ପରିବର୍ତ୍ତେ ଅଧିକ ବଢିବାରେ ଲାଗିଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ବିବାଦ ଉପରେ ଫୋନରେ କଥାବାର୍ତ୍ତା ହୋଇଥିଲେ। ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟର ବାର୍ତ୍ତାଳପ ହୋଇଥିଲା। ଏହି ସମୟରେ ଜୋ ବାଇଡେନ କହିଥିଲେ, ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଏବଂ ଏହାର ସହଯୋଗୀ ଏହାର ଜବାବ ଦେବେ।

 

Get real time updates directly on you device, subscribe now.