fbpx

IT Sectorରେ ଚାକିରି ବର୍ଷା: ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ୩ ଲକ୍ଷ ୬୦ ହଜାର ଫ୍ରେସର୍ଶଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଆଇଟି ପ୍ରଫେସନାଲ, ତେବେ ଆପଣଙ୍କ ପାଇଁ ଏକ ସୁସମ୍ବାଦ ଆସିଛି । ଆସନ୍ତା ଦେଢ଼ ମାସ ମଧ୍ୟରେ ଆଇଟି ସେକ୍ଟରରେ ୩.୬ ଲକ୍ଷ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ । ଗତ ଅକ୍ଟୋବର-ଡିସେମ୍ବର ୩ ମାସ ମଧ୍ୟରେ ଆଇଟି ସେକ୍ଟରରେ ଚାକିରି ଛାଡ଼ିଥିବା କର୍ମଚାରୀଙ୍କ ସଂଖ୍ୟା ୨୨.୩ ପ୍ରତିଶତ ରହିଥିଲା । ସେହିପରି ଜୁଲାଇ-ସେପ୍ଟେମ୍ବରରେ ଏହା ୧୯.୫ ପ୍ରତିଶତ, ଜାନୁଆରୀ-ମାର୍ଚ୍ଚରେ ଏହା ୨୨-୨୪ ପ୍ରତିଶତ ମଧ୍ୟରେ ରହିଥିଲା । ତେବେ ଆର୍ଥିକ ବର୍ଷ ୨୦୨୨-୨୩ରେ ଏହି ସ୍ଥିତିରେ ସୁଧାର ଆସିବା ସହ ଚାକିରି ଛାଡ଼ୁଥିବା ଲୋକଙ୍କ ସଂଖ୍ୟା ୧୬ରୁ ୧୮ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଏନେଇ ମାର୍କେଟ ଇଣ୍ଟେଲିଜେନ୍ସ ଫାର୍ମ ଅନୟାର୍ଥଇନସାଇଟ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ମୁତାବକ, ଗତ କିଛି ସପ୍ତାହ ପୂର୍ବେ କୋଭିଡର ଗମ୍ଭୀର ସ୍ଥିତି ରହିଥିଲେ ହେଁ ଆଇଟି କ୍ଷେତ୍ରରେ ବୃଦ୍ଧି ଜାରି ରହିଛି । ଚଳିତ ଆର୍ଥିକ ବର୍ଷରେ ଆଇଟି କ୍ଷେତ୍ରରେ ସବୁଠାରୁ ଅଧିକ ଆୟ ବୃଦ୍ଧି ହାସଲ ସମ୍ଭାବନା ରହିଛି । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ବେତନ ଲଗାତର ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିଶ୍ୱରେ ଆଇଟି ସର୍ଭିସର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହି କ୍ଷେତ୍ରରେ ପ୍ରାୟ ୧୫.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୧୦ ବର୍ଷ ମଧ୍ୟରେ ଏହା ସର୍ବୋତ୍ତମ ବୃଦ୍ଧି ହୋଇଥିବା ବେଳେ ଇଣ୍ଡଷ୍ଟ୍ରିର ରେଭିନ୍ୟୁ ୨୨୭ ଅରବ ଡଲାର ଛୁଇଁଛି । ବର୍ତ୍ତମାନ ଏହି ସେକ୍ଟରରେ ୫୦ ଲକ୍ଷରୁ ଅଧିକ ଲୋକ କାର୍ଯ୍ୟରତ ଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଏହା ଶାନଦାର ପ୍ରଦର୍ଶନ କରିବ । ଆସନ୍ତା ବର୍ଷ ଡିଜିଟାଲର ଡିମାଣ୍ଡ ଜାରି ରହିବା ସମ୍ଭାବନା କାରଣରୁ ଏହି ସେକ୍ଟରରେ ଅଭିବୃଦ୍ଧି ଘଟି ୨୦୨୬ ମଧ୍ୟରେ ଇଣ୍ଡଷ୍ଟ୍ରିର ଆକାର ୩୫୦ ବିଲିୟନ ଡଲାର ହୋଇଯିବ ।

Get real time updates directly on you device, subscribe now.