ଦାଉଦ୍ ଇବ୍ରାହିମ୍ ବନେଇଛି ସ୍ପେସିଆଲ ୟୁନିଟ୍: ଟାର୍ଗେଟରେ ନେତା ଓ ବ୍ୟବସାୟୀ, ସତର୍କ କଲା NIA

ନୂଆଦିଲ୍ଲୀ: ଏନଆଇଏ ପକ୍ଷରୁ ଜାରି କରାଯାଇଛି ସତର୍କ ସୂଚନା । ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର ଟାର୍ଗେଟରେ ରହିଛନ୍ତି ଭାରତୀୟ ନେତା ଓ ବ୍ୟବସାୟୀ । ବିଭିନ୍ନ ନେତା ଓ ବ୍ୟବସାୟୀଙ୍କୁ ହତ୍ୟା କରିବା ଯୋଜନାରେ ରହିଥିବା ଦାଉଦ୍ ଏ ନେଇ ଏକ ସ୍ପେସିଆଲ ହିଟ୍ ୟୁନିଟ୍ ଗଠନ କରିଛି । ଏହି ହିଟ୍ ୟୁନିଟ୍ ତାଲିକାରେ ଦିଲ୍ଲୀ ଓ ମୁମ୍ବାଇର ରାଜନେତାଙ୍କ ସମେତ ବଡ ବଡ ବ୍ୟବସାୟୀ ରହିଥିବା ଜଣାପଡିଛି । ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି ।

ଏହି ଘଟଣାକୁ ଦୃଷ୍ଟିରେ ରଖି ଇଡି ପକ୍ଷରୁ ଦାଉଦ୍ ଇବ୍ରାହିମର ଭାଇ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ଇଡି ପକ୍ଷରୁ ଦାଉଦ୍ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କରାଯାଇଛି । ଏହା ସହିତ କାସକରର ଅନ୍ୟ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରି ପଚରା ଉଚୁରା କରାଯାଉଛି । ଫେବୃୟାରୀ ୨୪ ତାରିଖ ଯାଏଁ ଇକବାଲ କାସକର ଇଡି ହେପାଜତରେ ରହିବ ।