ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦: ସିରିଜ କବ୍ଜା ଲକ୍ଷ୍ୟରେ ମେନ ଇନ ବ୍ଲୁ , ‘କର ବା ମର’ ପରିସ୍ଥିତି ସିଂହଳୀ ବାହିନୀ
ଧର୍ମଶାଳା; ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍କୁ ୬୨ରନ୍ରେ ଜିତିବା ପରେ ରୋହିତ ବାହିନୀ ଏବେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଦଳ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆର ବିଜୟଧାରାରେ ବ୍ରେକ୍ ଲଗାଇବାକୁ ପ୍ରୟାସ କରିବ ।
ପ୍ରଥମ ମ୍ୟାଚରେ ଓପନର ଇଶାନ କିଶାନ ଏବଂ ଶ୍ରେୟସ ଅୟରଙ୍କ ଦମଦାର ପାଳି ଆଗରେ ହାର ମାନିଛି ସିଂହଳୀ ଦଳର ବୋଲିଙ୍ଗ ଆଟାକ । ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ଯାହାର ଫାଇଦା ଉଠାଇଥିଲେ ରୋହିତ ଏବଂ ଇଶାନ କିଶାନ । ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଙ୍ଗ ଜାରି ରଖିଥିଲେ ଦୁଇ ଓପନର । ଇଶାନ କିଶାନ ମାତ୍ର ୩୦ ବଲରୁ ନିଜ ଅର୍ଦ୍ଧଶତକ ହାସଲ କରିବା ସହିତ ୫୬ ବଲରେ ୮୯ ରନର ଦମଦାର ପାଳି ଖେଳିଥିଲେ । ରୋହିତ ୩୨ ବଲରେ ୪୪ ରନ କରି ପାଭିଲିୟନ ଫେରିଥିବା ବେଳେ ଶ୍ରେୟସ ଅୟର ମଧ୍ୟ ଆରମ୍ଭ କରିଥିଲେ ନିଜର ଦମ ଦେଖାଇବା । ମାତ୍ର ୨୮ ବଲରେ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହ ୫୭ ରନ ସଂଗ୍ରହ କରିଥିଲେ ଶ୍ରେୟସ । ତେବେ ଏହି ଦୁଇ ଷ୍ଟାର ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ଫଳରେ ଦଳ ଶ୍ରୀଲଙ୍କାକୁ ୨୦୦ ରନର ବିଶାଳ ଲକ୍ଷ୍ୟ ଦେଇଥିଲା ।
ସେପଟେ ଭାରତୀୟ ବୋଲର ମଧ୍ୟ ଖୁବ ଜୋସରେ ନଜର ଆସିଥିଲେ । ପ୍ରଥମ ବଲରେ ଶ୍ରୀଲଙ୍କାକୁ ପ୍ରଥମ ଝଟକା ଦେଇଥିଲେ ଭୁବନେଶ୍ୱର କୁମାର । ଓପନର ପଥୁମ ନିଶଙ୍କାଙ୍କୁ ବୋଲ୍ଡ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ଅନ୍ୟ ଓପନର କମିଲ ମିଶାରାଙ୍କୁ ମଧ୍ୟ ବେଶୀ ସମୟ ମଇଦାନରେ ରହିବାକୁ ଦେଇ ନଥିଲେ । ଦଳକୁ ଦୁଇ ଓଭରରେ ଦୁଇଟି ଝଟକା ଦେଇ ମ୍ୟାଚରେ ସୁନ୍ଦର ଷ୍ଟାର୍ଟ ଦେଇଥିଲେ ଭୁବନେଶ୍ୱର । ଏହାପରେ ଶ୍ରୀଲଙ୍କା ତରଫରୁ କେହି ମଇଦାନରେ ବଡ ପାର୍ଟନରସିପ କରିବାକୁ ସମର୍ଥ ହୋଇ ପାରି ନଥିଲେ । ତେବେ ଚରିଥ ଅଶାଲଙ୍କା ୪୭ ବଲରେ ୫୩ ରନ କରି ବିଜୟର ଆଶା ସଞ୍ଚାର କରୁଥିଲେ ମଧ୍ୟ ଫେଲ ମାରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୭ ରନ ସଂଗ୍ରହ କରି ପାରିଛି ସିଂହଳୀ ଦଳ । ଏହା ସହ ପ୍ରଥମ ମ୍ୟାଚରେ ୬୨ ରନର ଏକ ବିଶାଳ ବିଜୟ ହାସଲ କରିଥିଳା ମେନ ଇନ ବ୍ଲୁ । ତେବେ ଦ୍ବିତୀୟ ଟି-୨୦ ମ୍ୟାଚରେ ସିଂହଳୀ ବାହିନୀର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ ରହିଛି । ପ୍ରଥମ ମ୍ୟାଚ୍ ଖେଳିନଥିବା ଦନୁଷ୍କା ଗୁଣଥିଲକା ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି ।