ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ଦୁନିଆକୁ ଦୁଇ ଭାଗରେ ବିଭକ୍ତ କରିଛି। ଗୋଟିଏ ପଟେ ଭାରତ ପରି ଦେଶ ନିରବ ରହିବାକୁ ଉଦ୍ୟମ କରୁଥିବା ବେଳେ ଚୀନ ଏବଂ ପାକିସ୍ତାନ ଏଥିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ପରି ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶ ଖୋଲାଖୋଲି ଋଷ ବିରୋଧରେ ଆସିଛନ୍ତି। ଏଥିରୁ ଅନେକ ଦେଶ ୟୁକ୍ରେନକୁ ସୈନ୍ୟ ହତିଆର ଯୋଗାଇବାଠୁ ନେଇ ଅନ୍ୟ ସହାୟତା ମଧ୍ୟ ଯୋଗାଇ ଦେବା କଥା କହିଛନ୍ତି। ନାଟୋ ମୁଖ୍ୟ ସୋମବାର ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ ହତିଆର ଏବଂ ମିସାଇଲ୍ ଦେବାକୁ ଘୋଷଣା କରିଛନ୍ତି। ଏ ପର୍ଯ୍ୟନ୍ତ ମୋଟ୍ ୨୧ ଦେଶ ପକ୍ଷରୁ ୟୁକ୍ରେନକୁ ସାହାଯ୍ୟ ଘୋଷଣା କରିଛନ୍ତି।
ଆମେରିକା ୟୁକ୍ରେନକୁ ୩୫୦ ଡଲାରର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଛି। ଯଦ୍ଵାରା ଏଥିରେ ଅସ୍ତ୍ର ଶସ୍ତ୍ର କ୍ରୟ କରାଯାଇ ପାରିବ। ଗତ ଏକ ବର୍ଷରେ ଆମେରିକା କିଭକୁ ବଡ ସହାୟତା ଯୋଗାଇ ଆସିଛି। ୟୁରୋପିୟନ ୟୁନିୟନ ନେତା କିଭକୁ ୪୫୦ ମିଲିୟନ ୟୁରୋ ସହାୟତାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅର୍ଥରେ ହତିଆର କ୍ରୟ ଏବଂ ଯୋଗାଇ ଦେବା ରହିଛି। ୟୁରୋପିୟନ ୟୁନିୟନର ବୈଦେଶିକ ନୀତି ମୁଖ୍ୟ ଜୋଶେଫ ବୋରେଲ କହିଛନ୍ତି ଅନେକ ଦେଶଗୁଡିକ ପକ୍ଷରୁ ୟୁକ୍ରେନକୁ ଲଢୁଆ ବିମାନ ପଠାଯାଉଛି।
କାନାଡା ପକ୍ଷରୁ ୟୁକ୍ରେନକୁ ଘାତକ ସୈନ୍ୟ ହତିଆର ପଠାଯାଉଛି। କାନାଡା ୫୦ କୋଟି କାନାଡାଇ ଡଲାର ଦେବାକୁ ନିଷ୍ପତ୍ତି ନେଇଛି। ଏହି ଅର୍ଥ ଏଥିପାଇଁ ଦିଆଯାଉଛି, ଯଦ୍ଵାରା ୟୁକ୍ରେନ ନିଜର ରକ୍ଷା ପାଇଁ ଯୁଦ୍ଧାସ୍ତ୍ର କ୍ରୟ କରି ପାରିବ। ସାଧାରଣତଃ ଜର୍ମାନୀ ଅନ୍ୟ ଦେଶକୁ ହତିଆର ରପ୍ତାନୀରୁ ନିବୃତ୍ତ ରହିଥାଏ। କିନ୍ତୁ ୟୁକ୍ରେନର ସହାୟତାରେ ସେ ମଧ୍ୟ ଖୋଲାଖୋଲି ସାମ୍ନାକୁ ଆସିଛି। ଜର୍ମାନୀ ତରଫରୁ ୧୦୦୦ ଆଣ୍ଟି ଟ୍ୟାଙ୍କ ହତିଆର, ୫୦୦ ମିସାଇଲ ଏବଂ ୯ ହୋବିତଜର ତୋପୋ ପଠାଇବାକୁ ଘୋଷଣା କରାଯାଇଛି। କେବଳ ଏତିକି ନୁହେଁ ୧୪ ସୈନ୍ୟ ଗାଡି ଏବଂ ୧୦୦୦୦ ଇନ୍ଧନ ମଧ୍ୟ ପଠାଇବାକୁ ଜର୍ମାନୀ ନିଷ୍ପତ୍ତି ନେଇଛି।
ସେହି ପରି ସ୍ଵିଡେନ, ଫ୍ରାନ୍ସ, ତୁର୍କୀ, ଇଟାଲୀ ଏବଂ ଗ୍ରୀସ ସମେତ ବେଲଜିୟମ, ନେଦରଲାଣ୍ଡ, ଚେକ୍ ରିପବ୍ଲିକ, ପର୍ତ୍ତୁଗାଲ, ରୋମାନିଆ ଆଦି ସସବୁ ଦେଶ ୟୁକ୍ରେନର ସହାୟତା ପାଇଁ ଆଗେଇ ଆସିଛନ୍ତି।