fbpx

ସେନ ଓ୍ଵର୍ଣ୍ଣଙ୍କଠୁ ଭଲ ସ୍ପିନର ହେଉଛନ୍ତି ମୁଥୟା ମୁରଲୀଧରଣ, ଏମିତି ଟିପ୍ପଣୀ ଦେଇ ବିବାଦରେ ଗାଭାସ୍କର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହାନ ସ୍ପିନର ସେନ ଓ୍ଵର୍ଣ୍ଣଙ୍କ ଗତ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଓ୍ଵର୍ଣ୍ଣଙ୍କ ଦେହାନ୍ତ ଖବରରେ ପୂରା କ୍ରୀଡା ଜଗତରେ ଶୋକର ଲହରି ଖେଳି ଯାଇଛି। ମାତ୍ର ଏହା ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଏମିତି ଟିପ୍ପଣୀ କରିଛନ୍ତି, ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ସେ ଓ୍ଵର୍ଣ୍ଣଙ୍କ ଅପେକ୍ଷା ଶ୍ରୀଲଙ୍କା ମହାନ ସ୍ପିନର ମୁଥୟା ମୁରଲୀଧରଣ ଭଲ ବୋଲି କହିଥିଲେ।

ସେନ ଓ୍ଵର୍ଣ୍ଣଙ୍କ ପରଲୋକ ପରେ ଏକ ଟିଭି ଶୋରେ ସୁନିଲ ଗାଭାସ୍କର କହିଥିଲେ, ମୋ ହିସାବରେ ଭାରତୀୟ ସ୍ପିନର ଏବଂ ମୁଥୟା ମୁରଲୀଧରଣ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ଵର୍ଣ୍ଣଙ୍କଠୁ ଭଲ ସ୍ପିନର ଥିଲେ। ଆପଣ ଭାରତ ବିପକ୍ଷରେ ଓ୍ଵର୍ଣ୍ଣଙ୍କ ରେକର୍ଡ ଦେଖନ୍ତୁ। ବହୁତ ସାଧାରଣ ରେକର୍ଡ।

ଗାଭାସ୍କର କହିଛନ୍ତି, ସେନ ଓ୍ଵର୍ଣ୍ଣଙ୍କୁ କେବଳ ଥରୁଟିଏ ନାଗପୁରରେ ପାଞ୍ଚ ଓ୍ଵିକେଟ୍ ସଫଳତା ମିଳିଛି। ଏହା ବ୍ୟତୀତ ସେ ଭାରତୀୟ ବ୍ୟାଟସମ୍ୟାନଙ୍କ ବିରୋଧରେ କୌଣସି ବଡ ସଫଳତା ହାସଲ କରି ପାରି ନାହାନ୍ତି। ମାତ୍ର ମୁଥୟା ମୁରଲୀଧରନଙ୍କୁ ଭାରତ ବିପକ୍ଷରେ ବହୁତ ସଫଳତା ମିଳିଛି। ସେଥିପାଇଁ ମୁଁ ମୁରଲୀଧରଣଙ୍କୁ ଭଲ ସ୍ପିନର ମାନିଥାଏ ବୋଲି ଗାଭାସ୍କର କହିଛନ୍ତି।

ଭାରତର ଏହି ବରିଷ୍ଠ ଖେଳାଳିଙ୍କ ବୟାନ ପରେ ସାମାଜିକ ଗଣମାଧ୍ୟମରେ ସେନ ଓ୍ଵର୍ଣ୍ଣଙ୍କ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜେସ ମେଣ୍ଡଲ ନିଜ ଟୁଇଟରରେ ଲେଖିଛନ୍ତି, ସୁନିଲ ଗାଭାସ୍କର ସେନ ଓ୍ଵର୍ଣ୍ଣଙ୍କ ପରଲୋକରେ ସୁଯୋଗ ଖୋଜିଛନ୍ତି ଏବଂ ମୁରଲୀଧରଣଙ୍କୁ ଶ୍ରେଷ୍ଠ ସ୍ପିନର କହିଛନ୍ତି। ସତ କହିବାକୁ ଗଲେ ଏମିତି ସମୟରେ ଏହି ପରି ବୟାନ ଦେବା ଗାଭାସ୍କରଙ୍କୁ ଶୋଭା ପାଉନି। ଅନେକ ଲୋକ ଲେଖିଛନ୍ତି, ସୁନିଲ ଗାଭାସ୍କରଙ୍କୁ ସବୁ ପ୍ରକାରର ଇଣ୍ଟରଭ୍ୟୁରୁ ବାସନ୍ଦ କରି ଦେବା ଉଚିତ୍। ଏହା ବ୍ୟତୀତ ସୁନିଲ ଗାଭାସ୍କରଙ୍କ ବୟାନକୁ ନେଇ ବ୍ରିଟିଶ, ଅଷ୍ଟ୍ରେଲିଆ ମିଡିଆରେ ଖୁବ୍ ଆପତ୍ତି ପ୍ରକାଶ ପାଇଛି।

ସେନ ଓ୍ଵର୍ଣ୍ଣ ଟେଷ୍ଟ କ୍ରିକେଟରେ ୭୦୮ ଓ୍ଵିକେଟ୍ ନେଇ ସବୁଠୁ ଅଧିକ ଓ୍ଵିକେଟ୍ ନେବା ତାଲିକାରେ ଦ୍ଵିତୀୟରେ ଅଛନ୍ତି। ଏହି ତାଲିକାରେ ଶ୍ରୀଲଙ୍କାର ମହାନ ସ୍ପିନର ମୁଥୟା ମୁରଲୀଧରଣ ୮୦୦ ଓ୍ଵିକେଟ୍ ନେଇ ଶୀର୍ଷରେ ଅଛନ୍ତି।

Get real time updates directly on you device, subscribe now.