ଆକାଉଣ୍ଟ ଖାଲି ଥିଲେ ବି ଚିନ୍ତା ନାହିଁ: ଆପଣ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଳୀ: ବର୍ତ୍ତମାନ ଏମିିତି ଏକ ସୁବିଧା ଆସିଛି ଯେଉଁଥିରେ ଆପଣଙ୍କ ଆକାଉଣ୍ଟରେ ପଇସା ନଥିଲେ ମଧ୍ୟ ଆପଣ ଖର୍ଚ୍ଚ କରିପାରିବେ । ବେତନ ଉପରେ ନିର୍ଭର କରୁଥିଲେ ଯଦି ଗୋଟିଏ ମାସରେ ଏକାଧିକ ପର୍ବ ପଡିଯାଏ ତେବେ ଏହା ପକେଟକୁ ବେଶ ବାଧିଥାଏ । ଏପରିକି ସମୟ ସମୟରେ ପକେଟରେ ପଇସା ନଥିଲେ ମଧ୍ୟ ଆପଣ ବ୍ୟାଙ୍କରୁ ପଇସା ଉଠାଇ ଖର୍ଚ୍ଚ କରି ପାରିବେ । ଏହାକୁ ସାଲାରୀ ଓଭରଡ୍ରାଫ୍ଟ ବୋଲି କୁହାଯାଏ । ଏହା ଏକ ପ୍ରକାରର ଲୋନ୍ ଯାହା ବ୍ୟାଙ୍କ ତରଫରୁ ଆପଣଙ୍କୁ ତୁରନ୍ତ ପ୍ରଦାନ କରାଯାଇଥାଏ । ଏହା ଉପରେ ମଧ୍ୟ ଆପଣଙ୍କୁ ସୁଧ ଦେବାକୁ ପଡିଥାଏ । ଯଦି ଆପଣ ନିଜ କମ୍ପାନୀରୁ ବେତନ ପାଉଛନ୍ତି ତାହେଲେ ଆପଣ ଏହି ସୁବିଧାର ଫାଇଦା ଉଠାଇ ପାରିବେ । ଜନ ଧନ ଯୋଜନା ଆକାଉଣ୍ଟରେ ଏହା ବ୍ୟତୀତ ଅନେକ ସୁବିଧା ରହିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଏକ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ ଖୋଲନ୍ତି । ଏଥିରେ ଦୁର୍ଘଟଣା ବୀମା, ଓଭରଡ୍ରାଫ୍ଟ ସୁବିଧା, ଚେକ୍ ବୁକ୍ ସହିତ ଅନେକ ସୁବିଧା ମଧ୍ୟ ମିଳିଥାଏ ।

ଜରୁରୀ ନିୟମ
ଏହି ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିଛି । ଓଭରଡ୍ରାଫ୍ଟର ଫାଇଦା ଉଠାଇବା ପାଇଁ ଆପଣଙ୍କର ଜନ ଧନ ଆକାଉଣ୍ଟ ଅତି କମରେ ୬ ମାସ ପୁରୁଣା ହେବା ଆବଶ୍ୟକ । ଏପରି ନହୋଇଥିଲେ ଆପଣ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିପାରିବେ ।

ଜନଧନ ଆକାଉଣ୍ଟ କ’ଣ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ହେଉଛି ଏକ ଉଚ୍ଚାଭିଳାଷୀ ଆର୍ଥିକ ପ୍ରୋଗ୍ରାମ, ଯାହା ବ୍ୟାଙ୍କିଙ୍ଗ / ସଞ୍ଚୟ ତଥା ଜମା ଆକାଉଣ୍ଟ, ଟଙ୍କା ପଠାଇବା, ଋଣ, ବୀମା, ପେନ୍ସନ୍କୁ ସୁନିଶ୍ଚିତ କରିଥାଏ । ଏହି ଆକାଉଣ୍ଟ ଯେକୌଣସି ବ୍ୟାଙ୍କ ବ୍ରାଞ୍ଚ କିମ୍ବା ବ୍ୟବସାୟ ପ୍ରତିନିଧି (ବ୍ୟାଙ୍କ ମିତ୍ର) ଆଉଟଲେଟରେ ଖୋଲାଯାଇପାରିବ । ଜିରୋ ବାଲାନ୍ସ ସହିତ ପିଏମଜେଡିୱାଇ ଖାତା ଖୋଲାଯାଉଛି ।

କିପରି ଖୋଲିବେ ଜନଧନ ଆକାଉଣ୍ଟ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଅଧିକ ଖୋଲାଯାଉଛି । ଯଦି ଆପଣ ଚାହାଁନ୍ତି, ତେବେ ପ୍ରାଇଭେଟ୍ ବ୍ୟାଙ୍କଗୁଡିକରେ ବି ନିଜର ଜନ ଧନ ଆକାଉଣ୍ଟ ଖୋଲିପାରିବେ । ଯଦି ଆପଣଙ୍କର ପାଖରେ ଅନ୍ୟ କିଛି ସେଭିଂ ଆକାଉଣ୍ଟ ଅଛି, ତେବେ ଆପଣ ତାହାକୁ ଜନଧନ ଆକାଉଣ୍ଟରେ ବଦଳାଇ ପାରିବେ । ଭାରତରେ ରହୁଥିବା ଯେକୌଣସି ନାଗରିକ, ଯାହାଙ୍କ ବୟସ ୧୦ ବର୍ଷ ବା ତାହାଠାରୁ ଅଧିକ, ସେମାନେ ଜନଧନ ଆକାଉଣ୍ଟ ଖୋଲିପାରିବେ ।