fbpx

Congressର ସ୍ଥିତି ଏପରି: ପୂର୍ବରୁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ହରାଇଥିଲା, ଏବେ ରାଜ୍ୟସଭାରେ ସମଦଶା ଭୋଗିବ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନର ଫଳାଫଳ ଅନେକ କିଛି ସୂଚନା ପ୍ରଦାନ କରୁଛି । ଗୋଟିଏ ପଟେ ବିଜେପି ଜାତୀୟ ସ୍ତରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଥିବା ବେଳେ ଆମ ଆଦମୀ ପାର୍ଟି (ଏଏପି)ର ବିଜୟଯାତ୍ରା ଆରମ୍ଭ ହୋଇଛି । ସେହିପରି ଅନ୍ୟପକ୍ଷରେ ଦେଶର ସର୍ବପୂରାତନ ଦଳ ଜାତୀୟ କଂଗ୍ରେସ ତଳିତଳାନ୍ତ ଅବସ୍ଥାକୁ ଚାଲିଆସିଲାଣି । ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ମୋଟ ୪୦୩ଟି ବିଧାନସଭା ସିଟରୁ କଂଗ୍ରେସ ଚିମୁଟେ ପାଣି ସଦୃଶ ମାତ୍ର ୨ଟି ସିଟ୍ ହାତେଇଛି । ଗୋଆ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଶାସନକୁ ଫେରିବ ବୋଲି ଆଶା କରାଯାଉଥିଲେ ହେଁ ତାହା ପାଣିରେ ମିଳେଇ ଯାଇଛି । ତେବେ ଦଳର ଏପରି ଦୟନୀୟ ସ୍ଥିତି ପରେ ଏବେ କଂଗ୍ରେସର ରିମୋଟ୍ ଗାନ୍ଧୀ ପରିବାର ହାତରୁ ଅନ୍ୟତ୍ର ସ୍ଥାନାନ୍ତର ହେବାର ସମ୍ଭାବନା ଦେଖାଯାଇଛି ।

ତେବେ ୫ଟି ରାଜ୍ୟର ନିର୍ବାଚନରେ ଶୋଚନୀୟ ପରାଜୟ ବରଣ ପରେ କଂଗ୍ରେସ ଏବେ ରାଜ୍ୟସଭାରେ ବିରୋଧୀ ଦଳର ମାନ୍ୟତା ହରାଇବାକୁ ଯାଉଛି । ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ମାନ୍ୟତା ହରାଇଥିବା କଂଗ୍ରେସ ଏବେ ରାଜ୍ୟସଭାରେ ମଧ୍ୟ ସମଦଶା ଭୋଗିବାକୁ ଯାଉଛି । ଆଗକୁ କିଛି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିଲେ ହେଁ ସେଥିରୁ କଂଗ୍ରେସ କିଛି ଫାଇଦା ଉଠାଇ ପାରିବ ନାହିଁ । ଏବେ ରାଜ୍ୟସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୩୪ ରହିଥିବା ବେଳେ ଚଳିତ ମାସ ଶେଷରେ ୭ ଜଣ ସଦସ୍ୟଙ୍କୁ ହରାଇବ । ତେବେ ଆଗକୁ କର୍ଣ୍ଣାଟକ, ଗୁଜୁରାଟ ବିଧାନସଭା ନିର୍ବାଚନରେ ଥିବାରୁ ସେଥିରେ ଯଦି ଭଲ ପ୍ରଦର୍ଶନ କରେ ତେବେ ଏହି ମାନ୍ୟତା ବଜାୟ ରଖିପାରେ ବୋଲି ବିଚାର କରାଯାଉଛି ।

ସୂଚନାଯୋଗ୍ୟ ଯେ, ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଭ କରିବାକୁ ହେଲେ ମୋଟ ଆସନର ୧୦ ପ୍ରତିଶତ ସଦସ୍ୟ ରହିବା ଆବଶ୍ୟକ । ସେହିପରି ରାଜ୍ୟସଭାରେ ବିରୋଧୀ ଦଳର ମାନ୍ୟତା ପାଇଁ ମୋଟ ଆସନର ୨୫ ପ୍ରତିଶତ ସଦସ୍ୟ ରହିବା ଜରୁରୀ ।

Get real time updates directly on you device, subscribe now.