fbpx

ସାଉଦି ଓ ଉମେଶଙ୍କ ଦୁର୍ଦୁଷ ବୋଲିଂ ନିଷ୍ଫଳ: ଦଳଗତ ଚେଷ୍ଟାରେ ଜିତିଲା ଆରସିବି

ନୂଆଦିଲ୍ଳୀ: ଟିମ ସାଉଦି ଓ ଉମେଶ ଯାଦବଙ୍କ ଘାତକ ବୋଲିଂ ସତ୍ତେ୍ୱ ସିଜିନର ପ୍ରଥମ ବିଜୟ ହାସଲ କରିଛି ଆରସିବି । ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ଫଳରେ ୪ଟି ବଲ ପୂର୍ବରୁ ୩ୱିକେଟ ବିଜୟ ହାସଲ କରିଛି ଆରସିବି । ୧୨୯ ରନ ଲକ୍ଷ୍ୟର ପିଛା କରୁଥିବା ବାଙ୍ଗାଲୋର ବ୍ୟାଟ୍ସମ୍ୟାନ କିନ୍ତୁ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲେ । ଅନୁଜ ରାୱତ ଖାତା ଖୋଲିବାକୁ ସମର୍ଥ ହୋଇନଥିବା ବେଳେ ଡୁପ୍ଲେସିସ୍ ମାତ୍ର ୫ ରନ୍ କରିଥିଲେ । ପରବର୍ତ୍ତୀ ବଲରେ ବିରାଟ କୋହଲି ପ୍ୟାଭିଲିୟନ ଫେରିବା ସହିତ ୧୭ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା ଆରସିବି । ତେବେ ଶେରଫେନ ରଦରଫୋର୍ଡ (୨୮) ଓ ଶାହାବାଜ ଅହମ୍ମଦ(୨୭)ଙ୍କ ବ୍ୟାଟିଂ ଫଳରେ ଦଳ ବିଜୟର ନିକଟବର୍ତ୍ତୀ ହୋଇଥିଲା । ଶେଷ ଆଡକୁ ଦୀନେଶ କାର୍ତ୍ତିକ (୧୪) ଓ ହର୍ଷଲ ପଟେଲ(୧୦) ଅପରାଜିତ ରହି ୪ ବଲ ପୂର୍ବରୁ ଦଳକୁ ଜିତାଇଥିଲେ । ଟିମ ସାଉଦି ୨୦ ରନରେ ୩ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ୧୬ ରନରେ ୨ଟି ୱିକେଟ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ ଭଲ ରିଦିମ୍ ପାଇନଥିଲେ । ଆଜିଙ୍କ୍ୟ ରାହଣେ(୯), ଭେଙ୍କଟେଶ ଆୟର(୧୦), ଶ୍ରେୟସ ଆୟର(୧୩), ନୀତିଶ ରାଣା(୧୦) ପ୍ରମୁଖ ବିଫଳ ହେବା ସହିତ ଦଳ ମାତ୍ର ୬୭ ରନରେ ୬ ୱିକେଟ ହରାଇଥିଲା । ତେବେ ନିମ୍ନ ମଧ୍ୟକ୍ରମରେ ଡ୍ରେ ରସ୍ ୨୫ ରନ କରି ଦଳକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇଥିଲେ । ଶେଷ ଆଡକୁ ଉମେଶ ଯାଦବ ୧୮ ଏବଂ ବରୁଣ ଚକ୍ରବର୍ତ୍ତୀ ଅପରାଜିତ ୧୦ ରନ କରିବାରୁ ଦଳ ୧୨୮ ରନ ଛୁଇଁ ପାରିଥିଲା । ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଏବଂ ହର୍ଷଲ ପଟେଲ ଚମକ୍ରାର ବୋଲିଂ କରିଥିଲେ । ହସରଙ୍ଗା ମାତ୍ର ୨୦ ରନ ବ୍ୟୟରେ ୪ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ମାତ୍ର ୧୧ ରନରେ ଦୁଇଟି ୱିକେଟ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆକାଶ ଦୀପ୍ ୩ଟି ୱିକେଟ ନେଇଥିଲେ ହେଁ ଏଥିପାଇଁ ୪୫ ରନ ବ୍ୟୟ କରିଥିଲେ ।

Get real time updates directly on you device, subscribe now.