ମହାନଦୀ ନିଖୋଜ ଘଟଣା: ମିଳିଲା ଆଉ ଜଣେ ନାବାଳକଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନାବାଳକଙ୍କ ମୃତଦେହ । ଉଦ୍ଧାର ହୋଇଥିବା ନାବାଳକଙ୍କ ନାମ ହେଉଛି ଏମ.ଡି ସାଦ୍ଦିକ । ଗୁରୁଦ୍ୱାର ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୧୦ ତାରିଖ ଦିନ ୩ ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଭାଗ୍ୟବଶତଃ ପାଣିରେ ବୁଡ଼ିଯାଇଥିଲେ ।

ଘଟଣା ଦିନ ମହମ୍ମଦ ସାହିଲ ପାଣିରେ ବୁଡ଼ି ଯାଉଥିବା ବେଳେ ତାଙ୍କର ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସାହିଲଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଆୟୂର ଖାନ ନାମକ ଜଣେ ଯୁବକଙ୍କର ମୃତଦେହକୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ରେସକ୍ୟୁ ଅପରେସନ ମାଧ୍ୟମରେ ଉଦ୍ଧାର କରିଥିଲେ ।

ସୂଚନାଯୋଗ୍ୟ ଯେ, ତିନି ସାଙ୍ଗ ନହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ଜଳସ୍ରୋତରେ ସେମାନେ ଫସିଯାଇଥିଲେ । ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନଦୀରେ ଅଧିକ ପାଣି ଥିବାରୁ ନିଖୋଜ ଯୁବକମାନଙ୍କୁ ଖୋଜିବାରେ ସମସ୍ୟା ଦେଖାଦେଇଥିଲେ । ଉଦ୍ଧାରକାରୀ ଟିମରେ ସ୍କୁବା ଡାଇଭରଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।