fbpx

(Video) ମରିବା ପୂର୍ବରୁ ବିଜୁଳି ବିଭାଗ କର୍ମଚାରୀ କହିଲେ- ‘ଟ୍ରାନ୍ସଫର ବଦଳରେ ରାତିକ ପାଇଁ ସ୍ତ୍ରୀ ମାଗିଥିଲା ଜେଇ’

ଲଖିମପୁର: ଉତ୍ତରପ୍ରଦେଶ ଲଖିମପୁର ଖିରିରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ବିଜୁଳି ବିଭାଗର ଜଣେ ଲାଇନମ୍ୟାନ୍ ଟ୍ରାନ୍ସଫର ଚାହୁଁଥିଲେ, କିନ୍ତୁ ତାଙ୍କ ସାମ୍ନାରେ ଏକ ଲଜ୍ଜାଜନକ ସର୍ତ୍ତ ରଖିଥିଲେ ଜୁନିୟର ଇଞ୍ଜିନିୟର ବା ଜେଇ । ଯେବେ ଲାଇନମ୍ୟାନ୍ ନିଜ ପତ୍ନୀଙ୍କୁ ରାତିକ ପାଇଁ ପଠାଇବେ, ସେବେ ଟ୍ରାନ୍ସଫର ହେବ ବୋଲି ଜେଇ କହିଥିଲେ ।

ଏହି ସର୍ତ୍ତ ଲାଇନମ୍ୟାନଙ୍କୁ ଏତେ ଆଘାତ ଦେଲା ଯେ, ସେ ଘରକୁ ଆସି ଡିଜେଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇଦେଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଲଖିମପୁର ନେଇଥିଲେ ଓ ପରେ ତାଙ୍କୁ ଲଖନଉ ଟ୍ରାମା ସେଣ୍ଟର ସ୍ଥାନାନ୍ତର କରାଯାଇଥିଲା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ମରିବା ପୂର୍ବରୁ ଲାଇନମ୍ୟାନ୍ ଜେଇଙ୍କ ବିରୋଧରେ ବୟାନ ଦେଇଥିଲେ ।

ଲାଇନମ୍ୟାନଙ୍କ ଅଭିଯୋଗ ଅନୁସାରେ, ‘ଟ୍ରାନ୍ସଫର ବଦଳରେ ଜେଇ ମୋ ପତ୍ନୀଙ୍କୁ ମାଗିଥିଲେ । ମୁଁ ଥାନାରେ ଅଭିଯୋଗ କରିଥିଲି, କିନ୍ତୁ କିଛି ସମାଧାନ ହୋଇନଥିଲା ।’ ଅବଶ୍ୟ ଏବେ ମୃତକଙ୍କ ପରିବାର ଲଖନଉରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଡିଏମ ମହେନ୍ଦ୍ର ବାହାଦୂର ସିଂହ ଭିଡିଓକୁ ଦେଖି ଅଭିଯୁକ୍ତ ଜେଇକୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତାଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଲଖିମପୁରରେ କଲିୟାର ବାସିନ୍ଦା ୪୫ ବର୍ଷୀୟ ଗୋକୁଳ ଯାଦବ ବିଜୁଳି ବିଭାଗରରେ ଲାଇନମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଘରଠାରୁ ୫୦ କିଲୋମିଟର ଦୂରରେ ତାଙ୍କର ଡ୍ୟୁଟି ପଡୁଥିଲା । ସେଠାରେ ସେ ଜେଇ ସହ ପରିଚିତ ହୋଇଥିଲେ । ପରିବାରକୁ ନେଇ ଅନେକ ଦିନରୁ ସମସ୍ୟା ଦେଇ ଗତି କରୁଥିବା ବେଳେ ସେ ଟ୍ରାନ୍ସଫର ପାଇଁ ଅନେକ ଅଫିସରଙ୍କ ସହ କଥା ହୋଇଥିଲେ । କିନ୍ତୁ ତାଙ୍କୁ ଦାବି ପୂରଣ ହୋଇନଥିଲା ।

ଏହା ପରେ ସେ ଜେଇ ସହ କଥା ହୋଇଥିଲେ । ଜେଇ ଟ୍ରାନ୍ସଫର ପାଇଁ ରାଜି ହୋଇଥିଲେ, କିନ୍ତୁ ଏପରି ଏକ ସର୍ତ୍ତ ରଖିଥିଲେ ଯାହାକୁ ଶୁଣି ଗୋକୁଳଙ୍କ ହୋସ୍ ଉଠିଯାଇଥିଲା । ଜେଇ କହିଥିଲେ ଯେ, ‘ରାତିକ ପାଇଁ ତୁମ ସ୍ତ୍ରୀକୁ ମୋ ପାଖକୁ ପଠାଅ, ମୁଁ ତୁମର ଟ୍ରାନ୍ସଫର କରିଦେବି ।’ ଜେଇଙ୍କ କଥାକୁ ନେଇ ଗୋକୁଳ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଶେଷରେ ଗୋକୁଳ ନିଜ ଶରୀରରେ ଡିଜେଲ ଢ଼ାଳି ନିଆଁ ଲଗାଇଦେଇଥିଲେ ଓ ମରିବା ପୂର୍ବରୁ ଜେଇ ବିରୋଧରେ ବୟାନ ଦେଇଥିଲେ ।

Get real time updates directly on you device, subscribe now.