ଜାହଙ୍ଗୀରପୁରୀ ହିଂସା ପରେ ହିନ୍ଦୁ-ମୁସଲମାନ ଏକାଠି, କହିଲେ ଆମେ ୩୦-୪୦ ବର୍ଷ ଧରି ଏକାଠି ରହୁଛୁ

ଦିଲ୍ଲୀ: ଜାହାଙ୍ଗୀରପୁରୀ ଅଞ୍ଚଳରୁ ଶୁକ୍ରବାର ଆଶ୍ୱସ୍ତିକର ଖବର ଆସିଛି । ଶାନ୍ତି କମିଟି ବୈଠକରେ ଉଭୟ ହିନ୍ଦୁ ଓ ମୁସଲିମ୍ ନିଜ ମଧ୍ୟରେ ଥିବା ବିବାଦର ସମାଧାନ କରିଛନ୍ତି । ଦୁଇ ପକ୍ଷ କହିଛନ୍ତି ଯେ ହନୁମାନ ଜୟନ୍ତି ପୁର୍ବରୁ ଏହି ଅଞ୍ଚଳରେ ଦୁଇ ପକ୍ଷର ଲୋକେ ଶାନ୍ତିପୁର୍ଣ୍ଣ ଭାବରେ ବସବାସ କରୁଥିଲେ ଏବଂ ଆଗକୁ ମଧ୍ୟ ଏହିପରି ଚାଲିବ ।

ଏହି ଅବସରରେ ଡିସିପି ଉଷା ରଂଗନାନୀ କହିଛନ୍ତି ଯେ ଏହି ବୈଠକ ଜରିଆରେ ଉଭୟ ପକ୍ଷ ମଧ୍ୟରେ ବିଶ୍ୱାସକୁ ସ୍ଥାପନା କରାଯାଇଛି । ଏବେ ସମସ୍ତେ ମିଳିମିଶି ରହିବେ । ଏବେ ପୋଲିସ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବ ବୋଲି ସେ କହିଛନ୍ତି ।

ଶାନ୍ତି ବୈଠକ ପରେ ଶାନ୍ତି କମିଟି ସଦସ୍ୟ ତବରେଜ ଖାନ କହିଛନ୍ତି ଯେ, ଆମେ ପରସ୍ପର ଆଲିଂଘନ କରି ଶାନ୍ତି ଦିଗରେ ଅଗ୍ରସର ହେଉଛୁ । ଏହି ଅବସରରେ ସେ ପୋଲିସର ଖୁବ୍ ପ୍ରଶଂସା କରିଥିଲେ । ଏହା ସହିତ ସେ କହିଛନ୍ତି ଯେ ଏହି ପୁରା ଘଟଣା କ୍ରମରେ ଦିଲ୍ଲୀ ପୋଲିସ ସୁନ୍ଦର ଭୁମିକା ନିର୍ବାହ କରିଛି । ପୋଲିସ ୧୬ ଏପ୍ରିଲ ପରେ ଘଟଣାକୁ ଆଗକୁ ବଢିବାକୁ ଦେଇ ନଥିଲା ।

ଏଥି ସହିତ ଏହି ହିଂସାରେ ଯେଉଁମାନେ ସାମିଲ ରହିଛନ୍ତି, ସେ ଦିଗରେ ତଦନ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି । ବର୍ତ୍ତମାନ ସ୍ଥିତି ସମ୍ପୁର୍ଣ୍ଣ ଶାନ୍ତିପୁର୍ଣ୍ଣ ରହିଛି । ତେଣୁ ସୁରକ୍ଷା କର୍ମୀ ଅଞ୍ଚଳରେ ହ୍ରାସ ପାଇବା ଦରକାର ବୋଲି ସେ କହିଛନ୍ତି ।

ଅନ୍ୟପଟେ ହିନ୍ଦୁ ପକ୍ଷରୁ ଇନ୍ଦ୍ରମଣି ତିୱାରୀ କହିଛନ୍ତି ଯେ, ଜାହାଙ୍ଗୀରପୁରୀରେ ସାମ୍ପ୍ରଦାୟିକ ହିଂସା ତାଙ୍କୁ ଦୋହଲାଇ ଦେଇଥିଲା । ଜାହାଙ୍ଗୀରପୁରୀ ଇତିହାସରେ କୌଣସି ସାମ୍ପ୍ରଦାୟିକ ହିଂସାର ଖବର ନାହିଁ । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଆଜି ଶେଷ ହେଲା ।

ଏଥି ସହିତ ହିନ୍ଦୁମାନେ ତାଜିଆକୁ ସ୍ୱାଗତ କରିବେ ବୋଲି ତିୱାରୀ କହିଛନ୍ତି, “ଜାହାଙ୍ଗୀରପୁରୀରେ ଆମେ ଗତ ୩୦-୪୦ ବର୍ଷ ଧରି ଏକାଠି ରହୁଛୁ। ଏକତ୍ର ଆମେ ନିଆଁ ଲିଭାଇବା, ଏଠାରେ ନେତାଙ୍କ ଆବଶ୍ୟକତା ନାହିଁ’ ।
ଯେତେବେଳେ ତାଜିଆ ଥାଏ ସେତେବେଳେ ହିନ୍ଦୁମାନେ ଏହାକୁ ସ୍ୱାଗତ କରିବେ ଏବଂ ମୁଁ ମୋର ମୁସଲମାନ ଭାଇମାନଙ୍କୁ ଆମ ଶୋଭାଯାତ୍ରାରେ ଫୁଲ ବର୍ଷା କରିବାକୁ ଅନୁରୋଧ କରିବି ବୋଲି ସେ କହିଥିଲେ ।