fbpx

ସିଏମ ଯୋଗୀଙ୍କ କଡା ଆଦେଶ- ଧାର୍ମିକ ସ୍ଥଳରୁ ବେଆଇନ ଭାବେ ଲଗାଯାଇଥିବା ଲାଉଡସ୍ପିକର ହଟାଯାଉ

AAKASH

ଲକ୍ଷ୍ନୌ: ଦେଶବ୍ୟାପୀ ଲାଉଡସ୍ପିକରକୁ ନେଇ ସୃଷ୍ଟି ବିବାଦ ପରେ ଉତ୍ତର ପ୍ରଦେଶର ଯୋଗୀ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ହେଉ କି ମସଜିଦ ଯେଉଁଠି ବି ବେଆଇନ ଭାବେ ଲାଉଡସ୍ପିକର ଲଗାଯାଇଛି ତୁରନ୍ତ ତାକୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଧାର୍ମିକ ସ୍ଥଳଗୁଡିକରେ ଲାଉଡସ୍ପିକର ବ୍ୟବହାର କରାଯାଇ ପାରିବ। ଆଦେଶ ପାଳନ କରୁନଥିବା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ସଚିବ ଅବନିଶ ଅବସ୍ଥି ପୋଲିସ ଅଫିସର ଏବଂ କମିଶନରେଟ୍ ପୋଲିସ ଅଧୀନରେ ଆସୁଥିବା ଜିଲ୍ଲାଗୁଡିକର ପୋଲିସକୁ ଚିଠି ଜାରି କରିଛନ୍ତି। ବେଆଇନ ଲାଉଡସ୍ପିକର ହଟାଇବା ସହ ନିର୍ଦ୍ଧାରିତ ମାନଦଣ୍ଡ ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିସହ ଯେଉଁ ଧର୍ମସ୍ଥଳ ନିୟମର ପାଳନ କରୁ ନାହାନ୍ତି ସେମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ସଚିବ କହିଛନ୍ତି। ଏପ୍ରିଲ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି ଏ ପର‌୍ୟ୍ୟନ୍ତ ୧୨୫ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ହଟାଯାଇଛି। ଏହା ବ୍ୟତୀତ ୧୭ ହଜାର ଲୋକ ସ୍ଵତଃପ୍ରବୃତ ଭାବେ ନିଜ ଆଡକୁ ଶବ୍ଦ କମ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦେଶ ଦେଇଛନ୍ତି ଯେ, ଧାର୍ମିକସ୍ଥଳଗୁଡିକରେ ଲାଉଡସ୍ପିକରର ଶବ୍ଦ ପରିସର ଭିତରେ ସୀମିତ ରହୁ। ଏଥିରେ ଯେମିତି କାହାରି ସମସ୍ୟା ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Get real time updates directly on you device, subscribe now.