ନୁଆଦିଲ୍ଲୀ: ପ୍ରବଳ ଖରାରେ ଜଳୁଛି ସାରା ଭାରତ । ଆଉ ପୁରା ଦେଶରେ ବଢ଼ିଛି ବିଜୁଳିର ଚାହିଦା । ଏଭଳି ସମୟରେ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବ ଖବର ଆସିଥିବା ବେଳେ ବିଭିନ୍ନ ରାଜ୍ୟରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ସୋମବାର କୋଲ୍ ଇଣ୍ଡିଆ ଲିମିଟେଡ଼(ସିଆଇଏଲ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ଯୋଗାଣ ୧୫.୬ ପ୍ରତିଶତ ବୃଦ୍ଧି ପାଇ ୪୯.୭ ମିଲିୟନ ଟନ୍ ରେ ପହଁଞ୍ଚିଛି ।
ଆସନ୍ତା ମାସରେ ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ଯୋଗାଣରେ ଆହୁରି ବୃଦ୍ଧି ପାଇପାରେ । ଏପ୍ରିଲ ମାସ ୨୧ ତାରିଖ ସୁଦ୍ଧା ପାୱାର ପ୍ଲାଣ୍ଟ ଗୁଡ଼ିକୁ ୪୯.୭ ମିଲିୟନ ଟନ୍ କୋଇଲା ଯୋଗାଣ ହୋଇଛି । ଯାହା ଗତବର୍ଷ ସମାନ ସମୟଠାରୁ ୬.୭ ମିଲିୟନ ଟନ୍ ଅଧିକ । ଆସନ୍ତା ମାସରେ “ସିଆଇଏଲ’ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହିତ ପ୍ଲାଣ୍ଟ ଗୁଡ଼ିକୁ ଅଧିକ କୋଇଲା ଯୋଗାଣ କରିବାକୁ ଯୋଜନା କରିଛି ।
ସାରା ଭାରତରେ କୋଇଲା ଉତ୍ପାଦନର ୮୦ ପ୍ରତିଶତ ଉତ୍ପାଦନ କୋଲ୍ ଇଣ୍ଡିଆ କରିଥାଏ । ଏଥି ସହିତ ବିଦ୍ୟୁତ୍ କ୍ଷେତ୍ରକୁ ଜୀବାଶ୍ମ କୋଇଲାର ପ୍ରମୁଖ ଯୋଗାଣକାରୀ ଅଟେ । ରିପୋର୍ଟ ମୁତାବକ କୋଲ ଇଣ୍ଡିଆ ପ୍ରତ୍ୟେକ ଦିନ ପାୱାର ପ୍ଲାଣ୍ଟ ଗୁଡ଼ିକୁ ପ୍ରାୟ ୧.୬୬ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ କରିଥାଏ । ଯାହା ଚଳିତ ଏପ୍ରିଲ ମାସରେ ୧.୭୩ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି ।
ସେହିଭଳି କୋଲ ଇଣ୍ଡିଆର ଉତ୍ପାଦନ କ୍ଷମତା ଗତ ମାସରେ ୨୭.୬ ପ୍ରତିଶତ ବୃଦ୍ଧି ପାଇ ୫୩.୫ ମିଲିୟନ ଟନ୍ ରେ ପହଁଞ୍ଚିଛି । ଯାହା ଗତ ବର୍ଷ ଏପ୍ରିଲରେ ୪୧.୯ ମିଲିୟନ ଟନ୍ ଥିଲା । “ସିଆଇଏଲ’ର ସମସ୍ତ ସହାୟକ କମ୍ପାନୀ ଯଥା ମହାନଦୀ କୋଲଫିଲ୍ଡସ୍, ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ୍, ଉତ୍ତର କୋଲଫିଲ୍ଡସ୍ ଏବଂ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଗତବର୍ଷବ ଅପେକ୍ଷା ଚଳିତ ବର୍ଷ ଯଥେଷ୍ଟ ଅଭିବୃଦ୍ଧି ପଞ୍ଜିକରଣ କରିଛନ୍ତି । ଯାହା ଏପ୍ରିଲ୍ ମାସରେ ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିଥିଲା ।