ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ସୁଧହାର ଘୋଷଣା କରାଯାଇଛି । ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଏହି ସୁଧହାର ୮.୫ ପ୍ରତିଶତ ରହିଥିବା ବେଳେ ଚଳିତ ଥର କିନ୍ତୁ ଗ୍ରାହକଙ୍କୁ ଲାଗିଛି ଜବରଦସ୍ତ ଝଟକା । ଇପିଏଫଓର ଏହି ପଦକ୍ଷେପ ଫଳରେ କୋଟି କୋଟି ସରକାରୀ କର୍ମଚାରୀ ପ୍ରଭାବିତ ହେବେ ।
ତେବେ ଜଣାପଡ଼ିଛି ଯେ, ୨୦୨୧-୨୨ ପାଇଁ ଇପିଏଫଓ ପକ୍ଷରୁ ସୁଧହାର ୮.୧ ପ୍ରତିଶତ ସ୍ଥିର କରାଯାଇଛି । ଏନେଇ ଗ୍ୱାହାଟିଠାରେ ଇପିଏଫଓର ସେଷ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜର ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ କେନ୍ଦ୍ର ଶ୍ରମମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ଗତ ଚାରିବର୍ଷ ଧରି ଇପିଏଫଓ ପକ୍ଷରୁ ପିଏଫ ସୁଧହାର ବହୁବାର ହ୍ରାସ କରାଯାଇ ଆସିଛି । ଗତ ୨୦୧୯-୨୦ରେ ଏହା ୮.୫ ପ୍ରତିଶତ,୨୦୧୮-୧୯ରେ ୮.୬୫ ପ୍ରତିଶତ, ୨୦୧୭-୧୮ରେ ୮.୫୫ ପ୍ରତିଶତ ରହିଥିଲା । ଚଳିତ ବର୍ଷ ଫେବୃଆରୀରେ ଇପିଏଫଓ ପକ୍ଷରୁ ୧୨.୮୫ ଲକ୍ଷ ଗ୍ରାହକଙ୍କୁ ଏନରୋଲ କରାଯାଇଥିବା ବେଳେ ମାର୍ଚ୍ଚରେ ତାହା ୧୯ ପ୍ରତିଶତ ବୃଦ୍ଧି ପାଇଁ ୧୫.୩୨ ଲକ୍ଷରେ ପହଞ୍ଚିଛି । ଫେବୃଆରୀ ମାସ ଅପେକ୍ଷା ମାର୍ଚ୍ଚରେ ୨.୪୭ ଲକ୍ଷ ଗ୍ରାହକ ଯୋଡ଼ି ହୋଇଥିବା ତଥ୍ୟରୁ ଜଣାପଡ଼ିଛି ।