ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ କପିଲଙ୍କ ବଡ ବୟାନ- ଯଦି ଆପଣ ନିଜ ପିତାଙ୍କ ୫୦ ପ୍ରତିଶତ…

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୨ରେ ଖେଳିବାର ସୁଯୋଗ ମିଳିନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ଆଶା କରାଯାଉଥଲା ଚଳିତ ସିଜିନରେ ସେ ଆଇପିଏଲରେ ଡେବ୍ୟୁ କରିବେ। ମାତ୍ର ତାଙ୍କୁ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳିନାହିଁ। ଏବେ ୨୨ ବର୍ଷୀୟ ଅର୍ଜୁନଙ୍କୁ ନେଇ ବିଶ୍ଵ କପ୍ ବିଜେତା ଦଳର ଅଧିନାୟକ କପିଲ ଦେବ ବଡ ବୟାନ ଦେଇଛନ୍ତି।

କପିଲ ଦେବଙ୍କ କହିବା କଥା ଅର୍ଜୁନଙ୍କ ଉପରେ ତାଙ୍କର ସରନେମ କାରଣରୁ ପ୍ରତିଟି ସମୟ ଅଧିକ ଚାପ ରହିବ। କିନ୍ତୁ ତାଙ୍କୁ ନିଜର ଖେଳ ହିଁ ଖେଳିବାକୁ ପଡିବ। କପିଲ୍ ଦେବ ଏକ କାର‌୍ୟ୍ୟକ୍ରମରେ କହିଛନ୍ତି ଯେ କେହି ବି ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି କାହିଁକି ? କାରଣ ସେ ସଚିନ ତେନ୍ଦୁଲକରଙ୍କ ପୁଅ। ତାଙ୍କୁ ତାଙ୍କ ଖେଳ ଖେଳିବାକୁ ଦିଆଯାଉ ଏବଂ ସଚିନ ତେନ୍ଦୁଲକରଙ୍କ ସହ ତୂଳନା କରାନଯାଉ।

କପିଲ ଦେବ କହିଛନ୍ତି, ତେନ୍ଦୁଲକର ସରନେମ ରହିବା ଅର୍ଜୁନଙ୍କ ପାଇଁ ଲାଭକାରୀ ଏବଂ କ୍ଷତିଦାୟକ ମଧ୍ୟ। ଡନ ବ୍ରାଡମ୍ୟାନଙ୍କ ପୁଅ ମଧ୍ୟ ନିଜ ନାମ ବଦଳାଇ ଦେଇଥିଲେ। କାରଣ ସେ ଚାପକୁ ବରଦାସ୍ତ କରି ପାରୁନଥିଲେ। ତେଣୁ ଅର୍ଜୁନଙ୍କ ଉପରେ ଅଧିକ ଚାପ ପକାନ୍ତୁ ନାହିଁ, ସେ ଏବେ ବହୁତ ଯୁବ ଅଛନ୍ତି।

ପୂର୍ବତନ ଅଧିନାୟକ କହିଛନ୍ତି, ମୁଁ ଅର୍ଜୁନଙ୍କୁ କେବଳ ଏତିକି ପରାମର୍ଶ ଦେବାକୁ ଚାହିଁବି ଯେ, ନିଜ ଖେଳକୁ ଉପଭୋଗ କର। ତାଙ୍କୁ କିଛି ସାବ୍ୟସ୍ତ କରିବାର ଆବଶ୍ୟକତା ନାହିଁ। ଯଦି ଆପଣ ନିଜ ପିତାଙ୍କ ୫୦ ପ୍ରତିଶତ ହୋଇଯାଆନ୍ତି ତେବେ ସେଥିରୁ ବଡ କିଛି ନାହିଁ। କାରଣ ତାଙ୍କ ନାମ ସହ ତେନ୍ଦୁଲକର ଯୋଡି କି ରହିଛି। ତେଣୁ ଅର୍ଜୁନଙ୍କଠୁ ବହୁତ ବଡ ଆଶା ରଖାଯାଉଛି।