ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ପାର୍ଟିର ଚିନ୍ତା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଜଣେ ମନ୍ତ୍ରୀଙ୍କ ସହିତ ଅତି କମରେ ଛଅ ବିଧାୟକ ପାର୍ଟିର ଆଦେଶ ପାଳନ ନକରି ଏ ପର୍ୟ୍ୟନ୍ତ ନିର୍ଦ୍ଧାରିତ ସମୟରେ ରିସର୍ଟ ପହଞ୍ଚି ନାହାନ୍ତି। ଏହା ଶାସକ କଂଗ୍ରେସର ଚିନ୍ତାକୁ ଆହୁରି ବଢାଇ ଦେଇଛି।
ଜୁନ ୧୦ରେ ହେବାକୁ ଥିବା ଭୋଟିଂ ପୂର୍ବରୁ କଂଗ୍ରେସକୁ ମୁସ୍କିଲ ସ୍ଥିତିର ସାମ୍ନା କରିବାକୁ ପଡୁଛି। ପାର୍ଟି ପ୍ରଥମେ ବିଧାୟକଙ୍କୁ ରିସର୍ଟରେ ପହଞ୍ଚିବା ପାଇଁ ଶୁକ୍ରବାର ସନ୍ଧ୍ୟା ପର୍ୟ୍ୟନ୍ତ ସମୟ ସୀମା ଦେଇଥିଲା। ଅଧିକାଂଶ ବିଧାୟକ ପହଞ୍ଚିଥିଲେ ମଧ୍ୟ କିଛି ପାର୍ଟିଠୁ ଦୂରତା ବଜାୟ ରଖିଛନ୍ତି। ଆଉ ଏହି ସବୁ ବିଧାୟକ ବହୁଜନ ସମାଜ ପାର୍ଟିର ଥିଲେ, ଯେଉଁମାନେ ୨୦୧୯ରେ କଂଗ୍ରେସରେ ସାମିଲ୍ ହୋଇଥିଲେ। ଏହି ଗୋଷ୍ଠୀର ଅଂଶ ହେଉଛନ୍ତି ରାଜସ୍ଥାନର ଶ୍ରମ କଲ୍ୟାଣ ରାଜ୍ୟ ମନ୍ତ୍ରୀ ରାଜେନ୍ଦ୍ର ଗୁଢା।
କ୍ୟାବିନେଟରେ ବିଏସପିରୁ ଆସି କଂଗ୍ରେସରେ ମିଶିଥିବା ବିଧାୟକଙ୍କୁ ଉଚିତ୍ ସମ୍ମାନ ନମିଳିବାରୁ ରାଜ୍ୟସଭା ନିର୍ବାଚନରେ ଏମିତି ସ୍ଥିତି ଉପୁଜିଥିବା କୁହାଯାଉଛି। ଗୁଢା କହିଛନ୍ତି ଏହା ସତ୍ୟ ଯେ, ସେମାନଙ୍କୁ ସେହି ସମ୍ମାନ ମିଳିନାହିଁ ଯାହା ମିଳିବାର ଥିଲା। ଉଦୟପୁର ରିସର୍ଟକୁ ପହଞ୍ଚିନଥିବା ବିଧାୟକ ହେଉଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଗୁଢାଙ୍କ ସହ କରୋଲି ବିଧାୟକ ଲଖନ ସିଂହ, ଅଲଓ୍ଵର ବିଧାୟକ ସନ୍ଦୀପ କୁମାର, ଧୌଲପୁର ବିଧାୟକ ଗିରିରାଜ ସିଂହ, ଲାଲ ବୈରଭା।
ବିଏସପିର ପୂର୍ବତନ ବିଧାୟକ ସର୍ବଦା ଗହଲେଟଙ୍କ ଉପରେ ଅଣଦେଖା କରୁଥିବା ଅଭିଯୋଗ କରି ଆସିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ ଶାନ୍ତ କରିବା ପାଇଁ ଗୁଢାଙ୍କୁ କଂଗ୍ରେସ ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲା। ଲଖନ ସିଂହ ମୀଣା, ଯୋଗୀନ୍ଦର ଅଭାନା ଏବଂ ଦୀପଚନ୍ଦ ଖେରିଆଙ୍କୁ ଚଳିତ ବର୍ଷ ଫେବୃଆରୀରେ ରାଜନୈତିକ ବଡ ପଦରେ ନିଯୁକ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, କଂଗ୍ରେସ ଏବଂ ବିଜେପି ରାଜ୍ୟସଭା ନିର୍ବାଚନରେ ଦୁଇଟି ଲେଖାଏଁ ସିଟ୍ ଜିତି ପାରନ୍ତି। ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଜରୁରୀ। ଆଉ ଗୋଟିଏ ଅତିରିକ୍ତ ସିଟ୍ ପାଇଁ ସେମାନଙ୍କୁ ନିଜ ପାର୍ଟି ବାହାର ସମର୍ଥନ ପାଇବାକୁ ହେବ। ବର୍ତ୍ତମାନ କଂଗ୍ରେସ ନିକଟରେ ୧୦୮ ବିଧାୟକ ରହିଛି। ତିନି ସାଂସଦଙ୍କୁ ଜିତାଇବାକୁ ହେଲେ ଆଉ ୧୫ ବିଧାୟକଙ୍କ ଆବଶ୍ୟକତା ରହିଛି। ବିଜେପି ପାଖରେ ୭୧ ବିଧାୟକ ରହିଛନ୍ତି ଏବଂ ଦ୍ଵିତୀୟ ସାଂସଦଙ୍କୁ ଜିତାଇବା ପାଇଁ ଦଳକୁ ୧୧ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।