ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ହରାଇଛି ଭାରତ । ୭ ୱିକେଟରେ ପ୍ରଥମ ଟି-୨୦ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ତେବେ ମ୍ୟାଚ ପରେ ଭାରତର ପରାସ୍ତକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପ୍ରଶଂସକ । ଏହି ମ୍ୟାଚରେ ଘଟିଥିବା ଏକ ଘଟଣା ପାଇଁ ଅମ୍ପାୟାରଙ୍କୁ ଦାୟୀ କରିବା ସହ ଏହାକୁ ଭାରତର ପରାଜୟର କାରଣ ବୋଲି ଚର୍ଚ୍ଚା ଜୋର ଧରିଛି ।
ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ସହ ବେଇମାନୀ ହୋଇଥିବା କୁହାଯାଉଛି । ପଡିଆରେ ଉପସ୍ଥିତ ଦୁଇ ଅମ୍ପାୟରଙ୍କ ଗୋଟିଏ ଭୁଲ ଯୋଗୁଁ ଭାରତ ହାତରୁ ଏହି ମ୍ୟାଚ ଖସିଯାଇଥିବା ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆର ଅଧିନାୟକ ଋଷଭ ପନ୍ତ ଯେତେବେଳେ ମଇଦାନକୁ ଆସିଥିଲେ, ସେତେବେଳେ ଘଟିଥିଲା ଏହି ଘଟଣା । ରନ ନେବାକୁ ଚେଷ୍ଟା କରୁଥିବା ସମୟରେ ବୋଲର କାଗିସୋ ରାବାଡା ପନ୍ତଙ୍କୁ ଧକ୍କା ଦେଇଥିଲେ । ରନ ଆଉଟ କରିବା ଉଦ୍ଦେଶ୍ୟରେ ପନ୍ତଙ୍କ ସହ ଧକ୍କା ହୋଇଥିଲା । ତେବେ ମିଡ ୱିକେଟରେ ଫିଲ୍ଡର ଟ୍ରିଷ୍ଟନ ଷ୍ଟବ୍ସଙ୍କ ଖରାପ ଥ୍ରୋ ଯୋଗୁଁ ପନ୍ତ ଏହି ରନ ଆଉଟରୁ ବର୍ତ୍ତି ଯାଇଥିଲେ । କିନ୍ତୁ ଏହାକୁ ନେଇ ଆରମ୍ଭ ହୋଇଗଲା ଆଲୋଚନା ଏବଂ ପର୍ଯ୍ୟାଲୋଚନା ।
— RohitKohliDhoni (@RohitKohliDhoni) June 9, 2022
ପନ୍ତ ଏବଂ ରାବାଡାଙ୍କ ଏହି ବିବାଦକୁ ଭାରତର ପରାଜୟର କାରଣ ବୋଲି ପ୍ରଶଂସକ ଦର୍ଶାଇଛନ୍ତି । କାରଣ କ୍ରିକେଟର ୪୧.୫ ନିୟମ ଅନୁଯାୟୀ କୌଣସି ଖେଳାଳି ବ୍ୟାଟ୍ସମ୍ୟାନଙ୍କୁ ରନ ନେବାରେ ବାଧା ସୃଷ୍ଟି କରେ, ତେବେ ଅମ୍ପାୟାର ତାଙ୍କ ଉପରେ ପେନାଲ୍ଟି ଲଗାଇ ପାରନ୍ତି । ଏହାସହିତ ବଲଟିକୁ ଡେଡ ବଲ ମଧ୍ୟ ଘୋଷଣା କରିପାରନ୍ତି ଅନଫିଲ୍ଡ ଅମ୍ପାୟାର । ଏହାବ୍ୟତୀତ ବ୍ୟାଟିଂ ଟିମକୁ ଅତିରିକ୍ତ ୫ ରନ ଦେଇ ପାରନ୍ତି । କିନ୍ତୁ ଏହି ମ୍ୟାଚରେ ଏମିତି କିଛି କରି ନଥିଲେ ଅମ୍ପାୟାର । ଯାହାଫଳରେ ଅମ୍ପାୟାରଙ୍କ ଉପରେ ପ୍ରଶଂସକ ଖୁବ କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ପ୍ରଥମ ଟି-୨୦ରେ ଭାରତ ପରାଜୟର ମୁଖ୍ୟ କାରଣ ଏହି ଘଟଣା ବୋଲି ଚର୍ଚ୍ଚା ଜୋର ଧରିଛି ।