ନୂଆଦିଲ୍ଲୀ: କୌଣସି ଦେଶର ଆର୍ଥିକ ସ୍ଥିତି କେମିତି ରହିଛି ତାହା ଉକ୍ତ ଦେଶର ଜିଡିପି ଏବଂ ମୁଦ୍ରାର ବିନିମୟ ମୂଲ୍ୟରୁ ଜଣା ପଡିଥାଏ। ବିଶ୍ଵର ସାଂପ୍ରତିକ ସ୍ଥିତି କାରଣରୁ ଗତ କିଛି ମାସ ହେବ ଆମେରିକୀୟ ଡଲାରର ମୂଲ୍ୟ ବଢିବାରେ ଲାଗିଛି। ଏହା ତୂଳନାରେ ଖସି ଚାଲିଛି ଭାରତୀୟ ମୁଦ୍ରାର ମୂଲ୍ୟ। ସୋମବାର ସକାଳେ ପ୍ରାରମ୍ଭିକ କାରବାରରେ ଡଲାର ତୂଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତର ୭୮କୁ ଖସି ଆସିଛି।
ସୋମବାର ଡଲାର ପିଛା ଗୋଟିଏ ଟଙ୍କାର ମୂଲ୍ୟ ୭୮.୧୪ରୁ ଆରମ୍ଭ ହୋଇଥିଲା। ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ଆଇଏଫଏ ରବିବାର କହିଛି ଯେ, ଦୁର୍ବଳ ଘରୋଇ ବଜାର, ଅଶୋଧିତ ତୈଳ ଦର ବଢିବା, ଡଲାର ମଜବୁତ ହେବା ଆଗାମୀ ଦିନରେ ଭାରତୀୟ ମୁଦ୍ରା ଉପରେ ଆହୁରି ଚାପ ପଡିପାରେ। ବଡ କାରଣ ବିଦେଶୀ କମ୍ପାନୀ ଭାରତରୁ ନିଜ ଟଙ୍କା କାଢିବା ଫଳରେ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି।
ଆମେରିକୀ ଡଲାର ତୂଳନାରେ ଶୁକ୍ରବାର ଭାରତୀୟ ମୁଦ୍ରା ଏକ ପଇସା ହ୍ରାସ ସହ ୭୭.୮୫ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଥିଲା। କାରବାର ସମୟରେ ଘରୋଇ ମୁଦ୍ରା ୭୭.୯୩ରେ ପହଞ୍ଚି ଯାଇଥିଲା। ହେଲେ ସୋମବାର ସବୁ ରେକର୍ଡ ଭାଙ୍ଗି ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚି ଯାଇଛି। ବିଶେଷଜ୍ଞଙ୍କ ମତରେ କିଛି କାରଣ ପାଇଁ ଆଗାମୀ ଦିନରେ ଭାରତୀୟ ମୁଦ୍ରାର ମୂଲ୍ୟ ଆହୁରି ହ୍ରାସ ପାଇପାରେ। ବିଶେଷ କରି ଦରବୃଦ୍ଧି, ଅଶୋଧିତ ତୈଳ ଦର ବୃଦ୍ଧି, କାରବାରରେ ଘାଟା ଏହି ସବୁ କାରଣ ପାଇଁ ଟଙ୍କାର ମୂଲ୍ୟ ହ୍ରାସ ପାଇପାରେ।