ଉତ୍ତରାଖଣ୍ଡ: “ହାତରେ ଅଛି ମାତ୍ର ୩ ଦିନର ପେଟ୍ରୋଲ, ଖୁବ ଶୀଘ୍ର ଭରି ନିଅନ୍ତୁ’ । ଏହି ମେସେଜ ଭାଇରାଲ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସୋମବାର ରାତିରେ ଡେରାଡୁନ, ହରିଦ୍ୱାର, ରୁଡକି ସମେତ ଅନ୍ୟ ସହରର ପେଟ୍ରୋଲ ପମ୍ପ ଗୁଡିକରେ ଅଚାନକ ପେଟ୍ରୋଲ ପାଇଁ ଲମ୍ବା ଲାଇନ ଲାଗିଛି । ତେବେ ଗୋଯିଏ ମେସେଜ ପାଇଁ ଏତେ ଟ୍ରାଫିକ ଜାମ ହୋଇଯାଇଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସର ହସ୍ତକ୍ଷେପ ଦରକାର ପଡିଛି ।
ରାଜଧାନୀ ଡେରାଡୁନ ଏବଂ ଆଖପାଖ ସହରର କିଛି ପେଟ୍ରୋଲ ପମ୍ପରେ କମ ପରିମାଣରେ ପେଟ୍ରୋଲ ରହିଥିଲା । ଏ ନେଇ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହୋଇଥିଲା । ଉତ୍ତରାଖଣ୍ଡରେ ଆଉ ମାତ୍ର ୩ ଦିନର ପେଟ୍ରୋଲ ବଳକା ରହିଛି । ଏହି ଗୁଜବକୁ ଲୋକମାନେ ସତ ଭାବି ସାରା ଦିନ ପେଟ୍ରୋଲ ପମ୍ପରେ ଲାଇନ ଲଗାଇଥିଲେ । କିନ୍ତୁ ରାତିରେ ପମ୍ପଗୁଡିକରେ ଆହୁରି ଭିଡ ଲାଗିଥିଲା । ଫଳରେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସର ହସ୍ତକ୍ଷେପ ନିଆଯାଇଛି । ଡେରାଡୁନର ଏସଏସପି ଏହି ଘଟଣାର ଏକ ଭିଡିଓ ଜାରି କରି ଗୁଜବ ବିଷୟରେ ପ୍ରକାଶ କରିଥିଲେ । ରାଜ୍ୟରେ ପେଟ୍ରୋଲ ମହଜୁଦ ରହିଥିବା ନେଇ ସେ କହିଥିଲେ ।
ଏହା ପରେ ମଧ୍ୟ ଅନେକ ଲୋକ ତାଙ୍କ କଥାକୁ ନମାନି ଗାଡି ଟାଙ୍କି ପୁଲ ହେବା ପର୍ଯ୍ୟନ୍ତ ଲାଇନ ଲଗାଇଛନ୍ତି । ଉତ୍ତରାଖଣ୍ଡ ଭଳି ଉତ୍ତରପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ଏଠାରେ ପେଯ୍ରୋଲ ରେଟ ବଢିବାକୁ ଯାଉଛି, ଶୀଘ୍ର ଟାଙ୍କି ଭରି ନିଅନ୍ତୁ ବୋଲି ଏକ ମିଥ୍ୟା ଗୁଜବ ଭାଇରାଲ ହେବା ପରେ କିଛି ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଯାଇଛି ।