ଆଗାମୀ ଦେଢ଼ବର୍ଷରେ ୧୦ ଲକ୍ଷ ନିଯୁକ୍ତି : ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାକିରି ପ୍ରସଙ୍ଗରେ ସବୁବେଳେ ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରୁଥିବା ମୋଦୀ ସରକାର ଜବାବ ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭାଗ ଓ ମନ୍ତ୍ରଣାଳୟରେ ଖାଲିଥିବା ପଦବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ମୋଡରେ ଏକ ନିଯୁକ୍ତି ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ଦେଢ଼଼ବର୍ଷରେ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ୧୦ ଲକ୍ଷ ନିଯୁକ୍ତି କରିବେ । ସବୁ ମନ୍ତ୍ରଣାଳୟ ଓ ବିଭାଗର ମାନବସମ୍ବଳ ସ୍ଥିତି ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

PMO ଇଣ୍ଡିଆର ଟ୍ୱିଟର ଆକାଉଣ୍ଟରୁ ଏହା ଟ୍ୱିଟ୍ କରାଯାଇଛି କି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ମାନବ ସମ୍ବଳର ସମୀକ୍ଷା କରିଛନ୍ତି । ଏହା ସହିତ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ନିଯୁକ୍ତି କରାଯିବ ।

ତେବେ ଗତବର୍ଷ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ, ‘ମାର୍ଚ୍ଚ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷ ପଦବୀ ଖାଲି ପଡ଼ିଛି । ଏବେ ଏହି ସଂଖ୍ୟା ବୃଦ୍ଧି ପାଇଥାଇପାରେ । କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରେ ମୋଟ ୪୦ ଲକ୍ଷ ୪,୦୦୦ ପଦବୀ ଅଛି, ସେଥିମଧ୍ୟରୁ ବର୍ତ୍ତମାନ ୩୧ ଲକ୍ଷ ୩୨ ହଜାର ପଦବୀରେ କର୍ମଚାରୀ ନିଯୁକ୍ତ ଅଛନ୍ତି ।’

ତେବେ କରୋନା ମହାମାରୀ ଯୋଗୁୁଁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ଅଧିକ ନିଯୁକ୍ତି ହୋଇନାହିଁ । ଏଭଳି ପରିସ୍ଥିତିରେ ପିଏମ ମୋଦୀଙ୍କ ଏହି ଘୋଷଣା ଯୁବିପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ ବିଭାଗରେ ଖାଲିଥିବା ପଦବୀ ପୂରଣ ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା ରହିଛି ।