fbpx

ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ସବୁବେଳେ ହୋଇଛି ବିଫଳ: ଗତ ୪ ଥର ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ହୋଇଥିଲେ ପରାସ୍ତ, ଏଥର କ’ଣ ଘଟିବ?

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଶାସକ ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପାଖରେ ମୋଟ ୪୮.୯ ପ୍ରତିଶତ ଭୋଟ ରହିଥିବା ବେଳେ ବିରୋଧୀଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ । ନିର୍ବାଚନରେ ଜିତିବା ପାଇଁ ବିଜେପିକୁ ଆଉ ମାତ୍ର ୧.୨ ପ୍ରତିଶତ ଭୋଟର ଆବଶ୍ୟକତା ପଡ଼ୁଥିବା ବେଳେ ଦଳ ଏଥିପାଇଁ ବିଜେଡି, ୱାଇଏସଆର କଂଗ୍ରେସ ପରି ଆଞ୍ଚଳିକ ଦଳ ସହ ବୁଝାମଣା କରିବାକୁ ପ୍ରୟାସ କରୁଛି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗତ ଜୁନ ୧୫ରେ ବିରୋଧୀ ଦଳର ୨୨ ଜଣ ନେତାଙ୍କୁ ଦିଲ୍ଲୀରେ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ । ମାତ୍ର ଉକ୍ତ ବୈଠକରେ ୪ଟି ପ୍ରମୁଖ ଦଳର ନେତାମାନେ ଅନୁପସ୍ଥିତ ରହିଥିଲେ । ମହାମେଣ୍ଟ କେତେଦୂର ସଫଳ ହେବ ତାହା ତ ଦୂରର କଥା, ମାତ୍ର ଆରମ୍ଭରୁ ସେଥିରେ କେଁ ପସିଥିବା ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ତେବେ ଆମେ ଯଦି ଇତିହାସକୁ ପର୍ଯ୍ୟାଲୋଚନା କରିବା ତେବେ କୌଣସି ଥର ବିରୋଧୀ ଦଳମାନେ ଏକଜୁଟ୍ ହେବାରେ ସକ୍ଷମ ହୋଇପାରି ନଥିବା ସ୍ପଷ୍ଟ ଜଣାପଡ଼ୁଛି ।

ଗତ ୨୦୦୨ ରାଷ୍ଟ୍ରପତି ନିର୍ବାଚନ ସମୟରେ ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । ଏନଡିଏ ଡ. ଏପିଜେ ଅବଦୁଲ କଲାମଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ପ୍ରାର୍ଥୀ କ୍ୟାପ୍ଟେନ ଲକ୍ଷ୍ମୀ ସହଗଲଙ୍କୁ ମାତ୍ର ୫୫ ହଜାର ଭୋଟ ମିଳିଥିଲା । ୨୦୦୭ରେ ସଂଯୁକ୍ତ ବିକାଶଶୀଳ ମେଣ୍ଟ (ୟୁପିଏ) ପ୍ରତିଭା ସିଂହ ପାଟିଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ବିଜେପିର ଯାଦୁ କାମ କରିନଥିଲା । ୨୦୧୨ରେ ୟୁପିଏ ପକ୍ଷରୁ ପ୍ରଣବ ମୁଖାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ପ୍ରାର୍ଥୀ ପିଏ ସଙ୍ଗମା ପରାସ୍ତ ହୋଇଥିଲେ ।

୨୦୧୭ରେ ଏନଡିଏ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ପ୍ରାର୍ଥୀ ମୀରା କୁମାର ପରାସ୍ତ ହୋଇଥିଲେ । ଗତ ୪ଟି ରାଷ୍ଟ୍ରପତି ନିର୍ବାଚନ ସମୟରେ ବିପକ୍ଷ ଦଳ ଏକଜୁଟ୍ ହେବାରେ ବିଫଳ ହୋଇଥିଲେ । ତେବେ ଆଗକୁ ବିରୋଧୀଙ୍କ ମହାମେଣ୍ଟ କିପରି କାମ କରୁଛି ସେଥିପାଇଁ ଆଉ କିଛିଦିନର ଅପେକ୍ଷା ।

Get real time updates directly on you device, subscribe now.