ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୪ ଜଣଙ୍କ ଜୀବନ

ନୂଆପଡ଼ା,  (ଭାସ୍କର ନ୍ୟୁଜ୍‌) : ମୃତ୍ୟୁ କେତେ ବେଳେ କାହା ପାଇଁ କେମିତି ଆସେ ତାହା ଜାଣିବା ଆଦୌ ସମ୍ଭବ ନୁହେଁ । ସେମାନେ ସମସ୍ତେ ଘରକାମରେ ବ୍ୟସ୍ତ ଥିଲେ । ଘର ନିର୍ମାଣ କରି ଉପରେ ବସି ଆଜବେଷ୍ଟସ ପକାଉଥିଲେ । ହଠାତ୍‌ ଏହି ସମୟରେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଆରମ୍ଭ ହୋଇଯାଇଥିଲା ଜୋର୍‌ରେ ପବନ । ମେଘ, ପବନକୁ ଦେଖି ଶୀଘ୍ର କାମ ସାରିଦେବା ପାଇଁ ପରିବାର ଲୋକେ ଚେଷ୍ଟା କରୁଥିଲେ । ହେଲେ ନିୟତିର ନିର୍ଦ୍ଦେଶ କିନ୍ତୁ ଥିଲା ଅଲଗା । ଅଚାନକ ବଜ୍ରପାତ ହେଲା । ଆଉ ଏଥିରେ ୪ ଜଣଙ୍କ ଜୀବନ ଚାଲିଗଲା । ଏଭଳି ଏକ ଦୁଃଖଦ ଓ ହୃଦୟ ବିଦାରକ ଘଟଣା ନୂଆପଡ଼ା ଜିଲ୍ଲା କୋମନା ମଲ୍ଲିକାମୁଣ୍ଡା ଗାଁରେ ଘଟିଛି ।ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ତୀର୍ଥ ନାଗ (୬୫), ତାଙ୍କ ପୁଅ ଚୂଡ଼ାମଣି ନାଗ (୨୧), ସମ୍ପର୍କୀୟ ଲକ୍ଷ୍ମଣ ନାଗ (୨୬), ଗୁଣସାଗର ନାଗ (୧୬) । ଏହି ଦୁଃଖଦ ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଘର ନିର୍ମାଣରେ ବ୍ୟସ୍ତଥିବା ବାପା-ପୁଅ ଓ ସମ୍ପର୍କୀୟଙ୍କ ଏକାବେଳକେ ମୃତ୍ୟୁ ଦୁଃଖର ସାଗର ସୃଷ୍ଟି କରିଛି । ବର୍ଷାକୁ ଆଖି ଆଗରେ ରଖି ଏହି ପରିବାରର ଲୋକେ ନିଜ ଘର ନିଜେ ତିଆରି କରିବାରେ ଲାଗିଡ଼ିଥିଲେ । ବଜ୍ରପାତ ହେବା ପରେ ସମସ୍ତେ ଅଚେତ ହୋଇ ମାଟିକାମୁଡ଼ି ପଡ଼ିଯାଇଥିଲେ । ଗ୍ରାମବାସୀ ଏହି ଘଟଣା ଦେଖିବା ପରେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ବଜ୍ରପାତରେ ଜଣଙ୍କ ଗୋଡ଼ର କିଛି ଅଂଶ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।