fbpx

ଟ୍ରାନ୍ସଫର ଧମକ ଉପରେ କ୍ଷୁବ୍ଧ ହେଲେ ହାଇକୋର୍ଟର ବିଚାରପତି, କହିଲେ- ଚାଷୀ ଘରର ପୁଅ, ଚାଷ କରି ପାରିବି

ବେଙ୍ଗାଲୁରୁ: ତାଙ୍କୁ ବଦଳି ପାଇଁ ଧମକ ଦିଆଯାଉଛି। ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଏଚପି ସନ୍ଦେଶ। ସେ କହିଛନ୍ତି, ଦୁର୍ନୀତି ନିବାରଣ ସଂସ୍ଥା ଏବଂ ଏଡିଜିପିକୁ ନେଇ କରିଥିବା ଟିପ୍ପଣୀ କାରଣରୁ ତାଙ୍କୁ ଧମକ ମିଳୁଛି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଏହି ଧରଣର ଧମକକୁ ଭୟ କରନ୍ତି ନାହିଁ। ସେ ଏସିବିର କାର‌୍ୟ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଏହାକୁ ଦୁର୍ନୀତିର କେନ୍ଦ୍ର ବୋଲି କହିଥିଲେ।

ସୋମବାର ବେଙ୍ଗାଲୁରୁର ଡେପୁଟୀ କମିଶନର କାର‌୍ୟ୍ୟାଳୟର ପୂର୍ବତନ ତହସିଲଦାର ମହେଶ ପିଏସଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି। ମହେଶଙ୍କ ଉପରେ କଥିତ ଭାବେ ୨୦୨୧ ମେରେ ୫ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ସେ କୋର୍ଟକୁ ଜଣାଇଛନ୍ତି ଯେ, ,ମୋତେ ତତ୍କାଳୀନ ଡେପୁଟୀ କମିଶନର ଜେ ମଞ୍ଜୁନାଥଙ୍କ ନିର୍ଦ୍ଦେଶକ୍ରମ ଲାଞ୍ଚ ମିଳିଥିଲା। ଆଉ ସବୁଠୁ ବଡ କଥା ସୋମବାର ଶୁଣାଣିର କିଛି ସମୟ ପରେ ଆଇଏଏସ ମଞ୍ଜୁନାଥଙ୍କ ଗିରଫଦାରୀର ସୂଚନା ଦେଇଛି ଏସିବି।

ସୋମବାର ଶୁଣାଣି ସମୟରେ ବିଚାରପତି ସନ୍ଦେଶ କହିଛନ୍ତି, ତାଙ୍କର ବଦଳି ହୋଇପାରେ ବୋଲି ସାଥୀ ଜଜ କହୁଛନ୍ତି। କାରଣ ଏଡିଜିପି ତାଙ୍କ ଟିପ୍ପଣୀରେ ଖୁସି ନାହାନ୍ତି। ଏସିବିର ଲୋକ ଏଡିଜିପିର ନିକଟତର ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି। ତେଣୁ ମୋ ଟିପ୍ପଣୀ କାରଣରୁ ମୋର ବଦଳି ହୋଇପାରେ। ମୁଁ ଆଦେଶରେ ବଦଳିର ଧମକକୁ ମଧ୍ୟ ସାମିଲ୍ କରିବି ବୋଲି ବିଚାରପତି ସନ୍ଦେଶ କହିଛନ୍ତି।

ସେ କହିଛନ୍ତି, ମୁଁ କାହାକୁ ଡରେ ନାହିଁ। ମୁଁ ଚାଷୀ ଘରର ଛୁଆ। ଚାଷ କରିବାକୁ ପ୍ରସ୍ତୁତ। ମୁଁ କେବଳ ସମ୍ବିଧାନ ସହ ଜଡିତ ରହିଛି। କୌଣସି ରାଜନୈତିକ ଦଳ କିମ୍ବା ବିଚାରଧାରା ସହ ନୁହେଁ। ଜଜ ହେବା ପରେ ମୁଁ କୌଣସି ବେଆଇନ ସଂପତ୍ତି ଅର୍ଜନ କରି ନାହିଁ। କେବଳ ବାପାଙ୍କ ନିକଟରେ ଥିବା ଚାରି ଏକର ଜମି ବିକିଛି।

ଏଥିସହ ସେ ଓକିଲଙ୍କ ଉପରେ କଡା ତାଗିଦ୍ କରିଛନ୍ତି। ବିଚାରପତି ସନ୍ଦେଶ କହିଛନ୍ତି, ଆପଣ ଜନତାଙ୍କ ରକ୍ଷା କରୁଛନ୍ତି ନା ଦାଗୀଙ୍କ ? ଏହା ଏକ ସ୍ଵଚ୍ଛ ନିର୍ମଳ ପେଶା। କଳା କୋଟ୍ ଦୁର୍ନୀତିଖୋର ଲୋକଙ୍କ ପାଇଁ ନୁହେଁ। ଦୁର୍ନୀତି ବର୍ତ୍ତମାନ କ୍ୟାନ୍ସରରେ ପରିଣତ ହୋଇ ସାରିଛି। ଏହାକୁ ଚତୁର୍ଥ ଷ୍ଟେଜକୁ ପହଞ୍ଚିବାକୁ ଦେବା ନାହିଁ। ଅଧିକାରୀଙ୍କୁ ସର୍ଚ୍ଚ ଓ୍ଵାରେଣ୍ଟରେ ଧମକ ଦିଆଯାଉଛି ଏବଂ ବଳପୂର୍ବକ ଆଦାୟ କରାଯାଉଥିବା ବିଚାପରତି ସନ୍ଦେଶ କହିଛନ୍ତି।

 

Get real time updates directly on you device, subscribe now.