fbpx

ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା

ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ଛାତ୍ରୀ ଏବେ ରାଗିଂର ଶିକାର ହେଉଛନ୍ତି । ଭୁବନେଶ୍ୱରରୁ ଯାଇ ବାଲେଶ୍ୱରରେ ପହଞ୍ଚିଲାଣି ରାଗିଂର ଡିଆଁ ରୋଗ । ଗତ କିଛି ଦିନ ତଳେ ବିଜେବି କଲେଜରେ ରାଗିଂ କାରଣରୁ ରୁଚିକାଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲରେ ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଦିନେ ନୁହେଁକି ଦୁଇ ଦିନ ନୁହେଁ ଦୀର୍ଘ ୫ ଦିନ ମୃତ୍ୟୁ ସହ ସଂଘର୍ଷ କରି ଗୁରୁବାର ଆଖି ବୁଜିଛନ୍ତି ଜଣେ ନର୍ସିଂ ଛାତ୍ରୀ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବଳେ ରାଗିଂ ପାଇଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗଙ୍ଗାଧର ବେହେରା ଓ ଗାୟତ୍ରୀ ବେହେରାଙ୍କ ଝିଅ ଲିପ୍ସା ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ଜ୍ୟୋତି ହସ୍ପିଟାଲରେ ନର୍ସିଂର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ ଲିପ୍ସା। ଚଳିତ ମାସ ୩ ତାରିଖରେ ଲିପ୍ସା ହଷ୍ଟେଲ ରୁମରେ ଆତ୍ମହତ୍ୟା ପ।।ଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି ।

ଏହି ଘଟଣା ରବିବାର ଘଟିଥିଲେ ମଧ୍ୟ ଏହାକୁ ଚପାଇ ଦେବା ପାଇଁ ଉଦ୍ୟମ ହୋଇଥିବାର ପରିବାର ଲୋକେ ସଦର ଥାନାରେ ଏକ ଅଭିଯୋଗ କରିଛନ୍ତି । ଲିପ୍ସା ରାଗିଂ ପାଇଁ ଏଭଳି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଘଟଣା ଘଟିବା ଦିନ ରାତି ପ୍ରାୟ ୭.୩୦ ମିନିଟରେ ଲିପ୍ସା ଘର ଲୋକଙ୍କ ସହ କଥା ହୋଇଥିଲେ । କିନ୍ତୁ ରାତି ୯ଟାରେ ଲିପ୍ସା ଗୁରୁତର ଥିବାର ଘରଲୋକଙ୍କୁ ଖବର ଆସିଥିଲା । ପ୍ରଥମେ ଜ୍ୟୋତି ହସ୍ପିଟାଲରେ ଚିକିତ୍ସା କରାଯାଉଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସଦର ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସମ୍ପୃକ୍ତ ଘଟଣା ସମ୍ପର୍କରେ ଜାଣିଥିବା ପ୍ରକାଶ କରିଛନ୍ତି । କିନ୍ତୁ ଶ୍ରୀ ତ୍ରିପାଠୀ ବ୍ୟକ୍ତିଗତ କାମରେ ଜିଲ୍ଲା ବାହାରେ ଥିବାରୁ ପରେ ଏନେଇ ଅଧିକ ତଥ୍ୟ ଦେବେ ବୋଲି ପ୍ରକାଶ କରିଛନ୍ତି ।

 

 

Get real time updates directly on you device, subscribe now.