fbpx

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ନିକଟରେ ଲାଗି ହେବ ଅଧରପଣା….

ଓଡ଼ିଶା ଭାସ୍କର: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳ ସାରି ଲେଉଟିଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ତିନି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇଥିଲେ ମହାବାହୁ । ସୁନାବେଶ ନୀତି ପର ଦିନ ଅର୍ଥାତ ଆଜି ଠାକୁରମାନଙ୍କ ନିକଟରେ ଅଧର ପଣା ଭୋଗ ଲାଗି ହେବ । ତିନି ଠାକୁରଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ଅଧର ପଣା ଭୋଗ ଅର୍ପଣ କରାଯାଏ । ଶ୍ରୀଜିଉମାନଙ୍କ ଅଧର ପର୍ଯ୍ୟନ୍ତ ଏକ ମାଟି ହାଣ୍ଡିରେ ପଣା ଭୋଗ ଲାଗି ହୋଇଥାଏ । କିମ୍ବଦନ୍ତୀ ଅନୁସାରେ ଦଶମୀ ଦିନ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା, କିନ୍ତୁ ସୁନାବେଶ ନୀତିରେ ବିଳମ୍ବ ହେଉଥିବାରୁ ଏହି ନୀତି ଦ୍ୱାଦଶୀ ଦିନ ଅନୁଷ୍ଠିତ ହୋଇଥାଏ ।

ବହୁ ପୂର୍ବରୁ ବାହୁଡ଼ା ଯାତ୍ରା ପରେ ତିନିଠାକୁରଙ୍କ ନିକଟରେ ୧୨ ହାଣ୍ଡି ଅଧରପଣା ଲାଗୁଥିଲା । ଦଶମୀ ଦିନ ୩ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଏବଂ ଦ୍ୱାଦଶୀ ଦିନ ତିନି ହାଣ୍ଡିରେ ମହାବାହୁଙ୍କ ନିକଟରେ ଅଧରପଣା ଲାଗି ହେଉଥିଲା । ସେହିପରି ବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଇ ହାଣ୍ଡି, ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମନ୍ତେ ଗୋଟିଏ ହାଣ୍ଡିରେ ଅଧର ପଣା ଲାଗି ହୋଇ ସର୍ବମୋଟ ୧୨ହାଣ୍ଡି ଅଧରପଣା ଲାଗି ହେଉଥିଲା । କିନ୍ତୁ ବର୍ତ୍ତମାନ କେବଳ ଦ୍ୱାଦଶୀ ଦିନ ୯ହାଣ୍ଡି ଅଧରପଣା ଭୋଗ ଠାକୁରମାନଙ୍କ ନିକଟରେ ଲାଗି ହେଉଛି ।
ଆଷାଢ ମାସ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଶ୍ରଜୀଉମାନଙ୍କ ପାଇଁ ଅଧରପଣା ପ୍ରସ୍ତୁତି ନୀତି ଆରମ୍ଭ ହୋଇଥାଏ । ଅଧରପଣା ପାଇଁ ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ସହ ଅନ୍ୟ ସାମଗ୍ରୀକୁ ପାଳିଆ ମହାସୁଆର ରଥ ଉପରେ ଠାକୁରଙ୍କ ଉଦ୍ଦେଶ୍ୟରେ ରଖିଥାନ୍ତି । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ଭୋଗ ଲାଗି ହେଉଥିବା ସ୍ଥାନରେ ଶ୍ରୀଜିଉମାନଙ୍କ ଶ୍ରୀ ଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ଏହି ହାଣ୍ଡି ଗୁଡ଼ିକ ସମାନ ମାପର ହୋଇନଥାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ଶ୍ରୀମନ୍ଦିରର ଛାଉଣୀ ମଠ ସମ୍ମୁଖରେ ଥିବା କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାମାନଙ୍କରେ ରଖିଥାନ୍ତି ।

ସେହିପରି ପୂର୍ବରୁ ଅଧରପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ସିଂହଦ୍ୱାର ସମ୍ମୁଖରେ ଥିବା କୂପରୁ ଏହି ଜଳ ଅଣାଯାଉଛି । ଠାକୁରମାନଙ୍କ ଅଧରପଣା ପାଇଁ ଲାଗୁଥିବା ଜଳକୁ କେହି ସ୍ପର୍ଶ ନକରିବା ପାଇଁ ମନ୍ଦିରର ଚର୍ଚ୍ଚା ଏବଂ ବରକନ୍ଦାଜ କର୍ମଚାରୀମାନେ ଗୁଆ ଖୋଳପା ଧରି ଲୋକମାନଙ୍କୁ ଆଡ଼େଇ ଥାଆନ୍ତି । ଅଧରପଣା ହାଣ୍ଡି ଉପରେ ଜଳ ଛାଣିବା ପାଇଁ ଖଣ୍ଡେ ଲେଖାଏଁ ଧଳା କରିକା ପକାଯାଏ । ମହାସୁଆରମାନେ ପ୍ରତି ରଥରେ ରହିଥିବା ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହା ପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁପ।।ଳିଆ ସେବକମାନେ ତିନି ରଥରେ ପୂଜା କରିଥାନ୍ତି । ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ଶ୍ରୀବିଗ୍ରହଙ୍କ ପୂଜାନୀତି ସମ୍ପନ୍ନ କରନ୍ତି ।

 

Get real time updates directly on you device, subscribe now.