ନୂଆଦିଲ୍ଲୀ: ସଂପ୍ରତି ରେକର୍ଡ ସର୍ବନିମ୍ନ ସ୍ତରରେ ରହିଛି ଟଙ୍କାର ମୂଲ୍ୟ। ଗତ କିଛି ସମୟ ହେବ ଟଙ୍କାର ବିନିମୟ ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଏକ ଡଲାର ତୂଳନାରେ ଟଙ୍କାର ମୂଲ୍ୟ ପାଖାପାଖି ୮୦ ଟଙ୍କାରେ ପହଞ୍ଚି ଯାଇଛି। ବିଶେଷଜ୍ଞଙ୍କ ମତରେ ବୈଶ୍ଵିକ ପରିସ୍ଥିତି, ଆମେରିକାରେ ଦରବୃଦ୍ଧି ଏବଂ ମାନ୍ଦାବସ୍ଥାର ଆଶଙ୍କା କାରଣରୁ ଟଙ୍କାରେ ତୁରନ୍ତ ସୁଧାରର କୌଣସି ସମ୍ଭାବନା ନଜର ଆସୁନାହିଁ। ବରଂ ଟଙ୍କା ଆହୁରି ତଳକୁ ଖସିପାରେ।
ଶନିବାର ଟଙ୍କା ୬ ପଇସା ଦୁର୍ବଳ ହୋଇ ୭୯.୯୪ ସ୍ତରରେ ଖୋଲିଥିଲା ଏବଂ ଦିନର କାରବାରରେ ୭୯.୯୫ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଦିନର ଶେଷ ଆଡକୁ କିଛିଟା ସୁଧାର ସହିତ ୭୯.୮୮ରେ ବନ୍ଦ ରହିଥିଲା। ଟଙ୍କାର ବିନିମୟ ମୂଲ୍ୟ ସର୍ବନିମ୍ନ ସ୍ତରରେ ରହିବାର ପ୍ରଭାବ ଅର୍ଥନୀତି ଉପରେ ପଡିବା ସହ ସାଧାରଣ ଜନତାଙ୍କ ପକେଟ୍ ଉପରେ ମଧ୍ୟ ପଡୁଛି। ଆସନ୍ତୁ ଜାଣିବା ଟଙ୍କାର ମୂଲ୍ୟ ହ୍ରାସ ହେଲେ ଆମେ କେମିତି ପ୍ରଭାବିତ ହୁଅନ୍ତି।
ଆମଦାନୀ ଏବଂ ରପ୍ତାନୀ ଉପରେ ସିଧା ପ୍ରଭାବ
ବିଶେଷଜ୍ଞଙ୍କ ମତରେ ଟଙ୍କା ଖସିବାର ସବୁଠୁ ବଡ ପ୍ରଭାବ ଆମଦାନୀ ଉପରେ ପଡିଥାଏ। ଆମଦାନୀ ହେଉଥିବା ଅଶୋଧିତ ତୈଳ ଏବଂ ବୈଦ୍ୟୁତିକ ଉପକରଣ ସହିତ ବିଦେଶରେ ପାଠପଢା ଏବଂ ବିଦେଶ ଯାତ୍ରା ଉଭୟ ମହଙ୍ଗା ହୋଇଥାଏ। ଆମଦାନୀ ହେଉଥିବା ପ୍ରତିଟି ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥାଏ। କାରଣ କୌଣସି ବି ସାମଗ୍ରୀ ଆମଦାନୀ ପାଇଁ ଅଧିକ ଟଙ୍କା ଦେବାକୁ ପଡିଥାଏ। ଅନ୍ୟପଟେ ରପ୍ତାନୀକାରୀଙ୍କୁ ଅର୍ଥାତ ଦେଶ ବାହାରେ ସାମଗ୍ରୀ ବିକୁଥିବା ଲୋକଙ୍କୁ ବହୁତ ଫାଇଦା ହୋଇଥାଏ। ସେମାନଙ୍କୁ ଡଲାର ତୂଳନାରେ ଅଧିକ ଟଙ୍କା ମିଳିଥାଏ।
କଣ ହୋଇଥାଏ ମହଙ୍ଗା
ଟଙ୍କାର ମୂଲ୍ୟର ହ୍ରାସ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ହ୍ରାସ ପାଇବା ସମ୍ଭାବନା କମ୍ ଥାଏ। ତୈଳ ବ୍ୟତୀତ ବିଦେଶରୁ ମଗା ଯାଉଥିବା ଲ୍ୟାପଟପ୍, ମୋବାଇଲ ଫୋନ, କାର, ଅଟୋ ପାର୍ଟ୍ସ ଏବଂ ଅନ୍ୟ ଉପକରନ ମହଙ୍ଗା ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଥାଏ। ଭାରତରୁ ବହୁ ସଂଖ୍ୟାରେ ଛାତ୍ର ବିଦେଶରେ ପଢୁଛନ୍ତି। ସେମାନଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡିଥାଏ। ସେମାନଙ୍କୁ ଫି ସହିତ ରହିବା ଏବଂ ଖାଇବା ଖର୍ଚ୍ଚ ଅଧିକ ଦେବାକୁ ପଡିଥାଏ।