fbpx

୨୪ ଘଣ୍ଟିଆ ରାସନ ପାଇବେ ରାଜ୍ୟବାସୀ: ରାଜ୍ୟ ସରକାର ପ୍ରଚଳନ କରିବେ ‘Any Time Grain’ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସନକୁ ନେଇ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେବ ‘ଏଟି ଟାଇମ୍ ଗ୍ରେନ୍’ ବ୍ୟବସ୍ଥା । ରାଜ୍ୟବାସୀଙ୍କୁ ଖାଦ୍ୟ ଯୋଗାଣ ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ରାଜ୍ୟବାସୀ ୨୪ ଘଣ୍ଟିଆ ରାସନ ପାଇପାରିବେ । ଏହି ବ୍ୟବସ୍ଥାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ଆରମ୍ଭ କରାଯିବ ।

ଚାଷୀଙ୍କୁ ବିନା ସୁଧରେ ଋଣ ମିଳିବ । ଏଟିଏମରୁ ବାହାରିବ ଚାଉଳ । ଏହାଫଳରେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବେନିଫିଟ୍ ପାଇବେ । ବିଧାନସଭାର ମୌସୁମୀ ଅଧିବେଶନରେ ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୃହରେ ଏନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ପରେ ଗୃହରେ ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟ ସରକାର ଆଇଟି ପଲିସିକୁ ଅନୁମୋଦନ କରିବା ସହ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ସ୍ଥାୟୀ ପୁଞ୍ଜି ନିବେଶ ପାଇଁ କମ୍ପାନୀମାନଙ୍କୁ ନିବେଶର ୨୫ ପ୍ରତିଶତ ଯୋଗାଇ ଦିଆଯିବ ।

ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧୨୦୫ କୋଟିରୁ ଅଧିକ ଓ ସମବାୟ ବିଭାଗର ୧୯୪୧ କୋଟିରୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି । ଖାଦ୍ୟ ଓ ଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋମେସନ କରାଯିବା ସହ ଲୋକଙ୍କ ପାଖରେ ଗୁଣାତ୍ମକ ମାନର ଶସ୍ୟ ପହଞ୍ଚିବା ନେଇ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.